ସୃଷ୍ଟି ହେଲା ଅବପାତ, କେଉଁ ଜିଲ୍ଲାରେ କେତେ ପବନ ବହିବ ?

1 min read

ନନ୍ଦିଘୋଷ ବ୍ୟୁରୋ: ଅବପାତରେ ପରିଣତ ହେଲା ଓ୍ବେଲମାର୍କ ଲୋପ୍ରେସର । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ । ସାଗର ଦ୍ବୀପରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବ ରେ କେନ୍ଦ୍ରୀଭୂତ । ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ । କାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା । ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ  । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି । କେଉଁ ଜିଲାରେ କେତେ ବେଗରେ ପବନ ହେବ ସେ ନେଇ ସୂଚନା ଜାରି କରାଯାଇଛି।

ସୂଚନା ଅନୁଯାୟୀ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି।

ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ବା ସର୍ବାଧିକ ବେଗରେ ୧୨୦ କିଲୋମିଟର ବେଗରେ ଗତି କରିବାର ସମ୍ଭାବନା ରହିଛି।

ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିଲୋମିଟର ବେଗରେ, ସର୍ବାଧିକ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।

ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପ୍ରଭାବରେ ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ। ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି ।