ବାତ୍ୟା ‘ଦାନା’ ନଆସୁଣୁ ଆକାଶ ଛୁଆଁ ହେଲା ଦରଦାମ

ଭୁବନେଶ୍ବର: ରାଜଧାନୀରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦରଦାମ ଲଗାତର ବଢି ଚାଲିଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଆଳରେ ଦର ଆହୁରି ବଢିଛି । ସ୍ଥିତି ଏମିତି ହୋଇଛି ଯେ ସାଧାରଣ ଲୋକେ ଖାଉଟି ସାମଗ୍ରୀରେ ହାତ ମାରିବା ସମ୍ଭବ ହୋଇପାରୁନାହିଁ । ସେପଟେ ସରକାର କଳାବଜାରୀକୁ ନେଇ ଚେତାବନୀ ଦେଇଥିଲେ ମଧ୍ୟ ଏହାର ପ୍ରଭାବ ଶୂନ । ଯାହାକୁ ନେଇ ରାଜ୍ୟ ବ୍ୟବସାୟୀ ସଂଘ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟର ବ୍ୟବସାୟୀମାନେ ସାମଗ୍ରୀ ଗୁଡିକର ସଠିକ ମୂଲ୍ୟ ନେବାକୁ ଲିଖିତ ଆକାରରେ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିନି । ହେଲେ ଏବେଠୁ ଆକାଶ ଛୁଇଁଲାଣି ଦର ଦାମ । ଆରମ୍ଭ ହୋଇଗଲାଣି କଳାବଜାରୀ । କାଲି ଆଳୁ କିଲୋ ପିଛା ଥିଲା ୩୨,  ଆଜି ପହଞ୍ଚିଛି ୪୦ରେ ।  ପିଆଜ ୬୦ରୁ ପହଞ୍ଚିଲାଣି ୭୦ରେ । ପନିପରିବାରେ ବି ହାତ ଦେଇ ହେଉନି । ବାତ୍ୟାକୁ ଆଖି ଆଗରେ ରଖି ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଲଗାତର ଦରଦାମ ବୃଦ୍ଧିର କଷଟି ପଥରରେ ଲୋକେ କଷି ହେଉଥିବା ବେଳେ ଏବେ ବାତ୍ୟା ଭୟ ଦରଦାମ ବୃଦ୍ଧି ସ୍ଥିତିକୁ ଅଧିକ ଜଟିଳ କରିଛି ।

ଜୀବନ ବିକଳରେ ଲୋକେ ନିଜର ଝାଳବୁହା ଅର୍ଥରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଚଢା ଦରରେ କିଣୁଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟ ସରକାରଙ୍କ କଳାବଜାରୀ ରୋକିବା କଥା କେବଳ ବାହସ୍ଫୋଟ ପାଲଟିଛି । ଗତକାଲି ଯେଉଁ ଆଳୁ କିଲୋ ୩୦ରୁ ୩୨ ଟଙ୍କା ବିକ୍ରି ହେଉଥିଲା ଆଜି ୪୦ ଟଙ୍କା ହେଲା କେମିତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସରକାର କଥାରେ ନୁହେଁ କାମରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରନ୍ତୁ ବୋଲି ଦାବି କହିଛନ୍ତି ଗ୍ରାହକ । ସେପଟେ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଯେଉଁଭଳି ସୃଷ୍ଟି ନ ହେବ ଓ କୌଣସି ସାମଗ୍ରୀ ଯେମିତି ଅଧିକ ଦରରେ ବିକ୍ରି କରା ନଯାଏ ସେ ନେଇ ବ୍ୟବସାୟୀମାନଙ୍କୁ ସଂଘ ପକ୍ଷରୁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବ୍ୟବସାୟୀ ଯଦି ଅଧିକ ଦର ନେଉଥାନ୍ତି ତା’ହେଲେ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦରଦାମ ନିୟନ୍ତ୍ରଣ ନ କରିପାରି ସମଗ୍ର ବ୍ୟବସାୟୀ ସମାଜକୁ ନିନ୍ଦିତ ନ କରିବାକୁ ଚେତାବନୀ ଦେଇଛି ସଂଘ । ଅନ୍ୟପକ୍ଷରେ ଗୋଦାମରୁ ଅଧିକ ଦରରେ କିଣା ପଡୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ବ୍ୟବସାୟୀ ।