ଭଡ଼ାଟିଆଙ୍କ ତଥ୍ୟ ଥାନାରେ ଦାଖଲ ନକଲେ ବନ୍ଧା ହେବେ ଘର ମାଲିକ, ୧୫ ଦିନର କଣ୍ଟ

1 min read

ଭୁବନେଶ୍ବର: ରାଜଧାନୀରେ ଘର ଭଡ଼ା ଦେଉଥିଲେ ସାବଧାନ । ଭଡାଟିଆଙ୍କ ତଥ୍ୟ ପୋଲିସ ନିକଟରେ ଦାଖଲ ନକଲେ ଗିରଫ ହେବେ ଘର ମାଲିକ । ଏ ନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ରାଜଧାନୀର ବିଭିନ୍ନ ଥାନାର ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପିଙ୍କ କଡ଼ା ତାଗିଦ । ୧୫ ଦିନ ଭିତରେ ରାଜଧାନୀରେ ଭଡ଼ାରେ ରହୁଥିବା ଲୋକଙ୍କ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ । କେଉଁଠି ଘର ଭଡା ନେଇ ସ୍ପା ନାଁରେ ଦେହବେପାର ତ ଆଉ କେଉଁଠି ଆପାର୍ଟମେଣ୍ଟ ଭଡା ନେଇ ରହୁଛନ୍ତି ସାଇବର ଠକ । ବିଗତ କିଛିଦିନ ଭିତରେ ଭଡାଟିଆଙ୍କ ଉପଦ୍ରବ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ହେବା ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ଭୁବନେଶ୍ୱର ଡିସିପି । ତୁରନ୍ତ ଭଡାଟିଆଙ୍କ ତଥ୍ୟ ଦାଖଲ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସକୁ ସହଯୋଗ ନକଲେ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏଭଳି ନିର୍ଦ୍ଦେଶ ପରେ ଭଡା ଘର ନେଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କ୍ରିମିନାଲଙ୍କ ଛାତି ଧଡଧଡ଼ ହେବା ଆରମ୍ଭ ହୋଇଛି ।

୨୦୧୫ରେ ପ୍ରଥମ କରି ଭଡାଟିଆ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ କମିଶନର । କିନ୍ତୁ ସହର ବଢିବା ସାଙ୍ଗକୁ ବାହାରୁ ଆସି ଅନେକ ଲୋକ ଏଠାରେ ଭଡାଘର ନେଇ ରହୁଛନ୍ତି । କିନ୍ତୁ ସେମାନେ ଘର ଭଡା ନେବାର କାରଣ ଓ ନିଜର ନାଁ ଓ ଠିକଣା ପୋଲିସ ନିକଟରେ ଦାଖଲ କରୁନାହାନ୍ତି । କିଛିଦିନ ତଳେ ଝାରପଡା ଅଞ୍ଚଳରେ ସିମବକ୍ସ ଠାବ ହେବା ଘଟଣାରେ ମଧ୍ୟ ଜଣେ ବଙ୍ଗୀୟ ଯୁବକ ନିଜ ନାଁ ଗୋପନ ରଖି ଘର ଭଡା ନେଇଥିବା ଜାଣିବାକୁ ପାଇଥିଲା ପୋଲିସ । ଆନ୍ତଃରାଜ୍ୟ ଲୁଟେରା ଠାରୁ ଆରମ୍ଭ କରି ନିଶା ବେପାରୀ ପର୍ଯ୍ୟନ୍ତ ଘର ଭଡା ନେଇ ଦୋ-ନମ୍ବରୀ କାରବାର ଚଳାଇଥିବାରୁ ଏହାକୁ ଦୃଢ଼ ହସ୍ତରେ ଦମନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ବର ଡିସିପି ।

ସେପଟେ ଘର ଭଡା ବେଳେ ବାରମ୍ବାର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି model tenancy act ବା House rent control act ଲାଗୁ କରାଇବା ପାଇଁ ସିନିୟର ସିଟିଜେନଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ ।