ବାତ୍ୟା ଅପଡେଟ୍: ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବ ‘ଦାନା’, ପାରାଦୀପ ଓ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ୍‌ !

1 min read

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ଅପଡେଟ୍ । ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା । ପାରାଦୀପ-ବାଲେଶ୍ବର ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ବାତ୍ୟାର ଗତିପଥ ଜାରି କଲା ଆଇଏମଡି ।

ବଙ୍ଗୋପସାଗରରେ ସୃଷ୍ଟ ଘର୍ଣ୍ଣିବୟଳ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । କାଲି ସକାଳେ ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ନେବ ବାତ୍ୟାର ରୂପ । ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ବାତ୍ୟାକୁ ନେଇ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଆଇଏମଡି ରେଡ୍ ୱାର୍ଣ୍ଣିଂ ଜାରି କରିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ । ୨୪ ତାରିଖ ବେଳକୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ବାତ୍ୟା ‘ଦାନା’ ଉଡାଇବ, ବୁଡ଼ାଇବ

୨୪ ମଧ୍ୟରାତ୍ର କିମ୍ବା ୨୫ ସକାଳେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’ । ଉଡାଇ ଦେଇ ବୁଡାଇ ଦେବ ଉତ୍ତର ଉପକୂଳ ଓଡ଼ିଶା । ୨୩ ରାତିରୁ ନେବ ଭୟଙ୍କର ରୂପ । ୬ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଭୀଷଣରୁ ଅତି ଭୀଷଣ ବର୍ଷା ସହ ବହିବ ୧୨୦ କିମି ବେଗରେ ପବନ । ଭାଙ୍ଗିବ ବଡ ବଡ ଗଛ, ଉଡିଯିବ ଚାଳ ଛପର ଘର । ଏମିତି କିଛି କହି ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ ।

୨୪ ଓ ୨୫ ତାରିଖରେ ଘାତକ ହେବ ଝଡ ବର୍ଷା । ଏହି ସମୟରେ ବାହାରକୁ ନବାହାରି ଘରେ ରହିବାକୁ ଦିଆଯାଇଛି ପରାମର୍ଶ । ସାମ୍ଭାବ୍ୟ ବାତ୍ୟାର ଡେଷ୍ଟିନେସନ ନେଇ ଆଜି ଆଇଏମଡି ଦେଇଛି ବଡ ସୂଚନା । ବାତ୍ୟାଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉପକୂଳ ମୁହାଁ ହେବ । ୨୪ ତାରିଖ ସନ୍ଧ୍ୟା କିମ୍ବା ୨୫ ତାରିଖ ସକାଳେ ଏହା ଓଡ଼ିଶାର ପୁରୀ-ପାରାଦୀପ-ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଲ୍ୟାଣ୍ଡଫଲ ସମୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଯାଜପୁରରେ ଭୀଷଣ ବର୍ଷା ହେବ । ବିଶେଷ କରି ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ବର୍ଷା ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।