ଆସୁଛି ବାତ୍ୟା ‘ଦାନା’: ପ୍ରଶାସନର ପ୍ରସ୍ତୁତି, ଚିନ୍ତାରେ ଚାଷୀ

1 min read

ଭୁବନେଶ୍ବର: ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗ ଏହା ସ୍ପଷ୍ଟ କରିବା ପରେ ସାରା ରାଜ୍ୟରେ ବାତ୍ୟାକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିରେ ଲାଗିଛନ୍ତି । ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାର ଜିଲ୍ଲା ପ୍ରଶାସନ ମଧ୍ୟ ବାତ୍ୟା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ମନରେ ଛନକା ପଶିଛି । ଅମଳ ହେବାକୁ ଥିବା ଧାନ ଓ ପନିପରିବା ବାତ୍ୟାର କରାଳ ଆଁରେ ଚାଲିଯିବା ପରେ କ’ଣ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି ଚାଷୀ ପରିବାର ।

ଚାଷୀ ଗଣୁଛି ପ୍ରମାଦ

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ଅଛନ୍ତି ଅସ୍ତରଙ୍ଗ ଅଞ୍ଚଳବାସୀ । ଫସଲ ଅମଳ ସମୟରେ ଦାନା ବାନ୍ଧୁଛି ବାତ୍ଯା ‘ଦାନା’ । ଏବେ ଧାନ ଗଛରେ କେଣ୍ଡା ବାହାରୁଥିବାବେଳେ ଶୀତ ଦିନିଆ ପନିପରିବା ଅମଳ ହେବାକୁ ବସିଛି । ଏହି ସମୟରେ ଯଦି ବାତ୍ୟା ହୁଏ ତେବେ ବର୍ଷା ଓ ପବନରେ ଧାନ ଓ ପନିପରିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ବାତ୍ୟାକୁ ନେଇ ବିଭିନ୍ନ ଛକ, ବଜାର, ଗାଁରେ ଆଲୋଚନା ଆରମ୍ଭ ହୋଇ ଗଲାଣି । ଅନ୍ୟପଟେ ସ୍ଥାନୀୟ ମତ୍ସ୍ଯ ବିଭାଗ ତରଫରୁ ସଚେତନ ପରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ଫେରି ଆସିବା ସହ ସୁରକ୍ଷିତ ସ୍ଥାନକୁ ନିଜ ଜାଲ, ଡ଼ଙ୍ଗା ସହ ଯନ୍ତ୍ରାସ ନେଇଯାଇଛନ୍ତି ।

ଧାନ ଉଜାଡ଼ିବ ‘ଦାନା’

ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଧାନ ଚାଷକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । କବିସୂର୍ଯ୍ୟନଗର, ପୋଲସରା ଓ ବୁଗୁଡା ଅଞ୍ଚଳର ବହୁ ଜମିରେ ଫସଲ ନୂଆଁଇ ପଡି ରହିଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ପବନ ଅଧିକ ହେଲେ ବହୁ ପରିମାଣର ଫସଲ ନଷ୍ଟ ହେବାର ଆଶଙ୍କା କରିଛନ୍ତି ଚାଷୀ ।

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ l ଭଞ୍ଜନଗରରେ ଦିବ୍ୟଜ୍ୟୋତି ପରିଡା ସବଡ଼ିଭିଜନର ସମସ୍ତ ବିଡ଼ିଓ, ତହସିଲଦାର, ମେଡିକାଲ ଅଧିକାରୀଙ୍କ ସହ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିଛନ୍ତି । ବାତ୍ୟାରେ ଯେକୌଣସି ପରିସ୍ଥିତିକୁ ପ୍ରଶାସନ ମୁକାବିଲା କରିବା ପାଇଁ ପ୍ରସ୍ତୁତି ରହିଛି l ଗତ ତିତିଲି ବାତ୍ୟା ସମୟରେ ସୋରଡ଼ା, ଭୁତ ପଙ୍କାଳ ଓ ଭଞ୍ଜନଗର ବାଇବାଲି ଆଦି ଅଂଚଳରେ ବ୍ଯାପକ କ୍ଷୟକ୍ଷତି ହୋଇଥିଲା ।