ବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି କୃଷି ବିଭାଗ

ଭୁବନେଶ୍ବର :  ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି କୃଷି ବିଭାଗ । ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ । ସମ୍ଭବ ହେଲେ କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ ନଚେତ ସମସ୍ତ କଟା ଧାନ ପଲିଥୁନ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ କଟା ଓ ଅମଳ ଯନ୍ତ୍ର ଉପଲବ୍ଧ ଥିଲେ ବିଲରୁ ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ । ମଧ୍ଯମ ଓ ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି । ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବଡା ସାଇହାଲୋଥୀନ କିମ୍ବା ୨ମି.ଲି. ହିସାବରେ କ୍ଲୋରୋପାଇରିଫସ ଓ ସାଇପରମେଥୀନ ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ । ସେହିପରି ମକା ଓ ମିଲେଟ ଜାତୀୟ ଫସଲ ତୁରନ୍ତ ଅମଳ କରି ଦିଅନ୍ତୁ । ମୁଗ, ବିରି, ଚିନାବାଦାମ ଆଦି ଫସଲ ଥିବା ଚାଷ ଜମିରୁ ପାଣି କାଟିବାର ବ୍ୟବସ୍ଥା କରନ୍ତୁ । ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ଉପଯୁକ୍ତ ରୋଗପୋକ ନିରୋଧକ ଔଷଧ ବ୍ୟବହାର କରନ୍ତୁ । ପନିପରିବା ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ ଓ ତଳିକୁ ଧଳା ଜରି ଦ୍ବାରା ଆଚ୍ଛାଦିତ କରନ୍ତୁ ।  ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । ବିଲରେ ଥିବା ପନିପରିବା ଫସଲରୁ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ରଞ୍ଜାରେ ମାଡିଥିବା ଲତା ଜାତୀୟ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଭଲ ଭାବରେ ବାନ୍ଧି ଦିଅନ୍ତୁ ।  ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ରହିଛି । ଏଣୁ ଏଥିପ୍ରତି ଆବଶ୍ଯକ ବ୍ଯବସ୍ଥା କରନ୍ତୁ । କଦଳୀ, ଅମୃତ ଭଣ୍ଡା ଆଦି ଗଛରେ ଢିରା ଦିଅନ୍ତୁ ।