ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ବାହାସ୍ପଟ ମାରିବାରେ ବ୍ୟସ୍ତ ସରକାର

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଖାଲି ପଡ଼ିଛି ରାଜ୍ୟର ୧୨ଟି ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧାରୀ ପଦ । ଗୋଟିଏ ପଟେ ଡାକ୍ତର, ପାରାମେଡ଼ିକାଲ ଷ୍ଟାଫଠାରୁ ଆରମ୍ଭ କରି ମୁରବି ଅଭାବରୁ ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ଥିତିକୁ ଗଲାଣି । ହେଲେ ଏହା ଉପରେ ନାହିଁ ସ୍ୱାସ୍ଥ୍ୟ ବିଭାଗର ନିଘା । ଯାହାକୁ ନେଇ ସମସ୍ତ ମହଲରେ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି । ଅନ୍ୟପକ୍ଷରେ ଶୀଘ୍ର ସମସ୍ୟା ଦୂର ହେବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ରାଜ୍ୟରେ ବିପର୍ଯ୍ୟସ୍ତ ରୋଗୀ ଚିକିତ୍ସା । ବେଡଠୁ ପଦବୀ ଅଧାରୁ ଅଧିକ ଫାଙ୍କା । ହେଲେ ବାହାସ୍ପଟ ମାରିମାରେ ବ୍ୟସ୍ତ ରାଜ୍ୟ ସରକାର । ୧୨ ଜିଲ୍ଲାରେ ନାହାନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡ଼ିକାଲ କଲେଜରେ କେଉଁଠି ଅଧିକ୍ଷକ ନାହାନ୍ତି ତ ଆଉ କେଉଁଠି ଖାଲି ପଡ଼ିଛି ଡିନ ପଦ । ଡାକ୍ତର ପଦଠୁ ଆରମ୍ଭ କରି ପାରା ମେଡ଼ିକାଲ ଓ ନର୍ସିଂ ପଦ ବି ଖାଲି ପଡ଼ିଛି ।

ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡର୍ଡର ଗାଇଡ଼ଲାଇନ ଅନୁଯାୟୀ ପ୍ରତି ୧୦ ହଜାର ଜନସଂଖ୍ୟାରେ ୪ଟି ବେଡ଼ ରହିବା କଥା । କିନ୍ତୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ବେଡ଼ ସଂଖ୍ୟାକୁ ମିଶାଇ ମୋଟ ୩୨ ହଜାର ବେଡ଼ ରହିଛି । ଗାଇଡ଼ଲାଇନକୁ ଦେଖିଲେ ୨ ଲକ୍ଷ ୩୫ ହଜାର ବେଡ଼ ଆବଶ୍ୟକ । ସେହିପରି ପ୍ରତି ୧୦ ହଜାର ଜନସଂଖ୍ୟାରେ ଗୋଟିଏ ଡାଇଗ୍ନୋସିସ କେନ୍ଦ୍ର ରହିବା କଥା। କିନ୍ତୁ ରାଜ୍ୟରେ ମୋଟ ୪୫୦୦ ବଦଳରେ ଅଛି ମାତ୍ର ୨୭୭ କେନ୍ଦ୍ର । ସେହିପରି ୧୦୦୦ ଲୋକସଂଖ୍ୟାରେ ଜଣେ ଆଶା, ୨୦ ହଜାର ଲୋକରେ ଗୋଟିଏ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିବା କଥା । କିନ୍ତୁ ଆବଶ୍ୟକତାଠାରୁ ଏହି ସବୁ ବହୁତ କମ ରହିଛି । ଓଡ଼ିଶାରେ ପଞ୍ଜିକୃତ ଡାକ୍ତର ସଂଖ୍ୟା ୨୬ ହଜାର ରହିଛି । କିନ୍ତୁ ସରକାର କାହିଁକି ସେହି ଡାକ୍ତରମାନଙ୍କୁ ନିଯୁକ୍ତ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।

ପୂର୍ବ ସରକାର ସମୟରେ ୩୪ଟି ନୂଆ ସ୍କିମ ହୋଇଥିଲା । ନିରାମୟ, ନିଦାନ, ସଂପୂର୍ଣା ଭଳି ଅନେକ ଯୋଜନା ହୋଇଥିଲା । ବିଜେପି ସରକାର ପୂର୍ବ ଯୋଜନା ବାବଦରେ କିଛି ସ୍ପଷ୍ଟ କରୁ ନାହାନ୍ତି ବୋଲି ଜନସ୍ୱାସ୍ଥ୍ୟ ମିଶନ ଅଭିଯୋଗ କରିଛି । ବିଜେପି ଡବଲ ଇଞ୍ଜିନର କଥା କହୁଛି । ଏପରିକି ବିଏସକେୱାଇକୁ ହଟାଇ ଆୟୁସମାନ ଯୋଜନା ଲାଗୁ କରିବାକୁ କହିଲେଣି । ଏହି ଦୁଇ ଯୋଜନା ମଧ୍ୟରେ ତାରତମ୍ୟ ବହୁତ ରହିଛି । ବିଏସକେୱାଇରେ ଲୋକେ ଅଧିକ ଲାଭ ପାଉଥିଲେ । ତେଣୁ ସରକାରଙ୍କ ଇଚ୍ଛାଶକ୍ତି ନାହିଁ ଓ ଆଗକୁ ଏହାର ବଡ଼ ପ୍ରଭାବ ପଡିବ । ଯାହାକୁ ସରକାର ସମ୍ଭାଳି ପାରିବେ ନାହିଁ ବୋଲି ଅଭିଯୋଗ ହେଉଛି ।

ସେପଟେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନେ ପକାଯାଇଛି ।  ନବୀନ ବାବୁଙ୍କ ବେଳେ ବହୁ ମେଡିକାଲ କଲେଜ ଖୋଲିଛି । ଡାକ୍ତରଙ୍କ ସଂଖ୍ୟା ମଧ୍ୟ ବଢିଛି । ତେଣୁ ଡାକ୍ତର ଅଭାବ ଦୂର ହୋଇଯିବା କଥା । କିନ୍ତୁ ଏବେ ଯେଉଁଠି ସିଡିଏମଓ ନାହାନ୍ତି ସେଠି ସ୍ୱାସ୍ଥ୍ୟ ସେବା ଚାଲିଛି କେମିତି ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ସଙ୍ଘର ପୂର୍ବତନ ସଭାପତି ମଧୁସୂଦନ ମିଶ୍ର । ମେଡ଼ିକାଲରେ ଏବେ ଲିପ୍ ସର୍ଭିସ ଚାଲିଛି । ତେଣୁ ଭଲ ସ୍ୱାସ୍ଥ୍ୟ ସେବା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଓମସାର ପୂର୍ବତନ ସଭାପତି । ରାଜ୍ୟରେ ନବନିର୍ବାଚିତ ମୋହନ ମାଝୀଙ୍କ ସରକାରରେ ମୌଳିକ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଜନ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ନୂଆ ଡାକ୍ତର ନିଯୁକ୍ତି ପାଇଁ ପଲିସି ମଧ୍ୟ କରାଯାଇ ନାହିଁ । ଯାହା ସରକାର ପ୍ରାଥମିକତା ଭତ୍ତିରେ କରିବା କଥା । ଡାକ୍ତର ସଂଖ୍ୟା ନ ବଢ଼ାଇ ଅନ୍ୟ ଗାଇଡ଼ଲାଇନ ଆସୁଛି । ଡାକ୍ତର ନିଯୁକ୍ତି ପାଇଁ ସ୍ଵଚ୍ଛ ନିଯୁକ୍ତି ଓ ବଦଳି ପ୍ରକ୍ରିୟା ରହିବା ନିହାତି ଦରକାର ।