ଓରେରାର ସଂଶୋଧିତ ବିଜ୍ଞପ୍ତିରେ କ୍ରେତାଙ୍କ ସୁରକ୍ଷାକୁ ଗୁରୁତ୍ବ, ବିଲ୍ଡରଙ୍କ ସମସ୍ୟା ଉପରେ ବି ନଜର

1 min read

ଭୁବନେଶ୍ବର: ଆପାର୍ଟମେଣ୍ଟ କ୍ରେତାଙ୍କ ସ୍ବାର୍ଥ ସୁରକ୍ଷା ପାଇ ଓରେରା କର୍ତ୍ତୃପକ୍ଷ ଜୁଲାଇ ମାସର ବିଜ୍ଞପ୍ତିରେ ସଂଶୋଧନ କରିଛନ୍ତି । ସଂଶୋଧିତ ବିଜ୍ଞପ୍ତିରେ କ୍ରେତା ସଂଘକୁ ଅଧିକ ସଶକ୍ତ କରାଯାଇଛି । କେତ୍ରାଙ୍କ ସୁରକ୍ଷା ପାଇଁ ଲଢେଇ କରୁଥିବା ସଙ୍ଗଠନ ଏହାକୁ ସ୍ବାଗତ କରିଛନ୍ତି । ଏଥିରେ ବିଲ୍ଡର ବା ପ୍ରମୋଟରମାନଙ୍କ ସମସ୍ୟାକୁ ନଜର ରଖାଯାଇଛି । ରେରାର ସଂଶୋଧିତ ବିଜ୍ଞପ୍ତିକୁ ଉଭୟ କ୍ରେତା ଓ ବିକ୍ରେତା ସ୍ବାଗତ କରିଛନ୍ତି ।

ଆପାର୍ଟମେଣ୍ଟ ପ୍ରକଳ୍ପର ଭାଗ୍ୟ କ୍ରେତାଙ୍କ ହାତରେ । କ୍ରେତା ସଂଘ ଦେବ ପ୍ରୋଜେକ୍ଟ କମ୍ପ୍ଲିସନ୍ ସାର୍ଟିଫିକେଟ । କ୍ରେତା ହେଲେ ଅଧିକ ସଶକ୍ତ, ବିକ୍ରେତାଙ୍କୁ ବି ମିଳିଲା ରିହାତି । ଓରେରା ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ଜାରି । କୌଣସି ଆପାର୍ଟମେଣ୍ଟର କାମ ସରିଗଲେ ପ୍ରମୋଟରମାନଙ୍କୁ ୬ଟି ସର୍ତ୍ତ ପୂରଣ କରିବାକୁ ପଡୁଥିଲା । କମ୍ପ୍ଲିସନ୍ ସାର୍ଟିଫିକେଟ, ଅକ୍ୟୁପାନ୍ସି ସାର୍ଟିଫିକେଟ, କ୍ରେତା ସଂଘ ଗଠନ, ଲେ-ଆଉଟ ପ୍ଲାନ ସହ କମନ ଏରିଆ ସଂଘକୁ ହସ୍ତାନ୍ତର ପାଇଁ ଡିଡ ଦାଖଲ । ସମସ୍ତ ସର୍ତ୍ତ ପୂର୍ବ ଭଳି ଥିବା ବେଳେ ଏଣିକି କ୍ରେତା ସଂଘକୁ ପ୍ରମୋଟର ତରଫରୁ ସବୁ ମିଳିସାରିଛି ବୋଲି ସଂଘ ସାର୍ଟିଫିକେଟ ଦେବା ପରେ ହିଁ ପ୍ରମୋଟରଙ୍କୁ ମିଳିବ କମ୍ପ୍ଲିସନ ସାର୍ଟିଫିକେଟ । ଏହାଦ୍ବାରା ସବୁବେଳେ ଅପାର୍ଟମେଣ୍ଟ ମାଲିକମାନେ କରୁଥିବା ଅଭିଯୋଗ ଆଉ ରହିବ ନାହିଁ । ମାଲିକ ସଂଘ ହିଁ ସବୁ କିଛି ନିୟନ୍ତ୍ରଣ କରିବ । ଏହାକୁ କ୍ରେତାମାନେ ସ୍ବାଗତ କରିଛନ୍ତି ।

ରେରାର ସଂଶୋଧିକ ବିଜ୍ଞପ୍ତିରେ ପ୍ରମୋଟରମାନଙ୍କ ଲାଗି ମଧ୍ୟ ସୁବିଧା ଦିଆଯାଇଛି । ରେରା ଆଇନ ଅନୁସାରେ ଘର କିଣିବା ପାଇଁ କ୍ରେତା ଦେଉଥିବା ଅର୍ଥର ୭୦ ପ୍ରତିଶତ ଏକ ଅଲଗା ଆକାଉଣ୍ଟରେ ରହୁଥିଲା । ଏହି ଆକାଉଣ୍ଟରୁ ପ୍ରମୋଟର ପ୍ରକଳ୍ପ ପାଇଁ ଖର୍ଚ୍ଚ କରୁଥିଲା । ପ୍ରକଳ୍ପ ସରିବା ପରେ ଏହି ଆକାଉଣ୍ଟରେ ଥିବା ବଳକା ରାଶି ୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ମରାମତି ପାଇଁ ରହୁଥିଲା । ହେଲେ ଅଧିକାଂଶ ପ୍ରମୋଟର ସବୁ ଅର୍ଥ ଖର୍ଚ୍ଚ ହୋଇଛି କହି ଏଥିରେ କିଛି କମା ରଖୁ ନଥିଲେ । ଯାହା ଫଳରେ ପ୍ରକଳ୍ପର ମରାମତି କାମ ପାଇଁ ହଇରାଣ ହେଉଥିଲେ ଆପାର୍ଟମେଣ୍ଟ ମାଲିକ । ଏଥିରେ ପରିବର୍ତ୍ତନ କରିଛି ରେରା । ପ୍ରକଳ୍ପ ଅଟକଳର ୧ ପ୍ରତିଶତ ଅର୍ଥ ପ୍ରମୋଟର ୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ଓ୍ବାରେଣ୍ଟି ବାବଦରେ ରଖିବେ । ଏହି ଅର୍ଥରୁ କ୍ରେତା ସଂଘ ପ୍ରକଳ୍ପର ମେଣ୍ଟେନାନ୍ସ କରିପାରିବେ । ଏହା ପ୍ରମୋଟରମାନଙ୍କୁ ଆଶ୍ବସ୍ତ କରିଛି ।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୩ରେ ସ୍ବତନ୍ତ୍ର ଭାବେ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆଣିଥିଲେ । ନୂଆ ବିଜ୍ଞପ୍ତିରେ ରେରା ଓ ଆପାର୍ଟମେଣ୍ଟ ଓନରସିପ ଆଇନ ମଧ୍ୟରେ ଉତ୍ତମ ସମନ୍ବୟ ରହିପାରିବ । ଏହାଦ୍ବାରା କ୍ରେତାଙ୍କ ସ୍ବାର୍ଥ ସୁରକ୍ଷା ଅଧିକ ହୋଇପାରିବ ।