ଓଡ଼ିଶାରେ ମହାନଦୀକୁ ମାରିଦେବକୁ ଛତିଶଗଡ଼ର ଷଡଯନ୍ତ୍ର, ଦୁଇ ସପ୍ତାହରେ ୩ ଫୁଟ କମିଲାଣି ଜଳସ୍ତର

ଭୁବନେଶ୍ବର: ଶୁଖିବାକୁ ବସିଲାଣି ଓଡ଼ିଶାର ଜୀବନରେଖା ମହାନଦୀ । ଲଗାତାର ଉପରମୁଣ୍ଡରୁ ମହାନଦୀରେ ପାଣି ଆସୁ ନଥିବାରୁ ହୀରାକୁଦ ଜଳଭଣ୍ଡାରରେ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା । ଦୁଇ ସପ୍ତାହକ ମଧ୍ୟରେ ମୋଟ ଜଳସ୍ତର ୩ ଫୁଟ କମିଲାଣି । ବିଜୁଳିଶକ୍ତି ଉତ୍ପାଦନ ଲାଗି କମ ପାଣି ବ୍ୟବହାର କରିବା ପାଇଁ ଓଏଚପିସିକୁ ଚିଠି ଲେଖି ଜଣାଇଛି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଯେତେବେଳେ ବର୍ଷା କମି ଯାଇଛି ସେତେବେଳେ କଲମା ବ୍ଯାରେଜର ୬୦ ଗେଟକୁ ବନ୍ଦ କରିଦେଇଛି ଛତିଶଗଡ । ଫଳରେ ଏବେ ପାଣି ପାଇଁ ଡହଳବିକଳ ଓଡ଼ିଶାବାସୀ ।

ମହାନଦୀକୁ ନେଇ ଛତିଶଗଡ଼ କରୁଛି ସାଂଘାତିକ ଷଡ଼ଯନ୍ତ୍ର । ଓଡ଼ିଶାର ଜୀବନରେଖା ଭାବେ ପରିଚିତ ମହାନଦୀରେ ଶୁଖିଗଲାଣି ପାଣି । ଉପର ମୁଣ୍ଡରେ ପାଣି କମ ଆସୁଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୧୨ ଦିନରେ ୩ ଫୁଟ କମିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ଓଡ଼ିଶାବାସୀ । କାରଣ, ଯଦି ମୌସୁମୀ ଯିବାର କିଛି ଦିନ ମଧ୍ୟରେ ଏଭଳି ଅବସ୍ଥା ତେବେ ଆଗକୁ ସ୍ଥିତି କ’ଣ ହେବ ? ଅକ୍ଟୋବର ପ୍ରଥମ ସପ୍ତାହରେ ଜଳସ୍ତର ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ୬୨୭ ଫୁଟକୁ ଖସି ଆସିଛି । ଜଳସ୍ତର ଖସିବା ପରେ ଓଏଚପିସିକୁ ଚିଠି ଲେଖିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।

ଏବେ ବର୍ଷା କମି ନଥିବା ବେଳେ ଛତିଶଗଡ଼ ଏଭଳି କାମ କଲାଣି । ଏମିତି ଯଦି ଚାଲେ  ଆଗକୁ ଓଡ଼ିଶା ଟିକିଏ ବି ପାଣି ପାଇବ ନାହିଁ, ତାହା ଏବେଠୁ ଜଳ ଜଳ ହୋଇ ଦିଶିଲାଣି । ଛତିଶଗଡ଼ର ଶେଷ ବ୍ଯାରେଜ କଲମାରେ ଏବେ କେବଳ ୬ଟି ଗେଟ୍ ଖୋଲା ଅଛି । ଯାହାକୁ ନେଇ ଓଡ଼ିଶାରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ମହାନଦୀ ଟ୍ରିବ୍ୟୁନାଲ୍ ଯେତେବେଳେ ଛତିଶଗଡ ଯାଇଥିଲେ । ସେତେବେଳେ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାଣି ଛାଡିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଛତିଶଗଡ଼ ଏବେଠାରୁ ପ୍ରାୟ ସମସ୍ତ ଗେଟ୍ ବନ୍ଦ କରି ଦେଇଥିବାରୁ ଏହାର ସିଧା ପ୍ରଭାବ ହୀରାକୁଦ ବନ୍ଧ ଉପରେ ପଡିଲାଣି ।