ମହାନଦୀକୁ ମାରି ଦେବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର ?

1 min read

ଭୁବନେଶ୍ବର: ମୌସୁମୀ ନ ଫେରୁଣୁ, ବର୍ଷା ଋତୁ ନ ସରୁଣୁ ଏହାର ପ୍ରଭାବ ପଡ଼ିଲାଣି ମହାନଦୀ ଉପରେ । ମହାନଦୀରେ ପାଣି ଆସୁନି, ଶୁଖି ଯାଉଛି ଓଡ଼ିଶାର ବଡ଼ ନଦୀ । ପାଣି ଆସୁ ନଥିବାରୁ ହୀରାକୁଦ ଡ୍ୟାମ ବି ପ୍ରଭାବିତ ହୋଇଛି । ଏହି ଡ୍ୟାମର ଜଳସ୍ତର ହ୍ରାସ ପାଇଛି । ମାତ୍ର ୧୨ ଦିନରେ ୩ ଫୁଟ କମିଛି ପାଣି । କାରଣ କଲମା ବ୍ୟାରେଜର ୬୦ଟି ଗେଟ୍ ବନ୍ଦ କରି ଦେଇଛି ଛତିଶଗଡ଼ । ତେଣୁ ମହାନଦୀରେ ପାଣି ଆସୁନି । ଏକ ପ୍ରକାର ଶୁଖିଲା ପଡ଼ିଛି ଏହାର ଶଯ୍ୟା । ଏହାକୁ ଦେଖି ବିଜୁଳି ଉତ୍ପାଦନ ପାଇଁ କମ୍ ପାଣି ବ୍ୟବହାର କରିବାକୁ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନକୁ ଚିଠି ଲେଖିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଏବେ ଚିନ୍ତା ପ୍ରକାଶ ପାଇଲାଣି, ଏବେଠୁ ଯଦି ଏଭଳି ସ୍ଥିତି, ଆଗକୁ ହେବ କ’ଣ ?

ଶୁଖି ଗଲାଣି ମହାନଦୀ । ବର୍ଷା ଋତୁ ନ ସରୁଣୁ ମହାନଦୀର ଶଯ୍ୟା ଶୁଖିଲା ପଡ଼ିଛି, ପାଣି ନାହିଁ । ଅକ୍ଟୋବରରେ ଯଦି ଏଭଳି ଅବସ୍ଥା ମେ’, ଜୁନ ବେଳକୁ ସ୍ଥିତି କ’ଣ ହେବ ତାକୁ ନେଇ ଚିନ୍ତା ବଢ଼ିଲାଣି । ଉପରମୁଣ୍ଡରୁ ମହାନଦୀକୁ ପାଣି ଆସୁ ନଥିବାରୁ ଏହି ଅବସ୍ଥା । ସ୍ଥିତି ଏମିତି ସଙ୍ଗୀନ ଯେ, ମାତ୍ର ୧୨ ଦିନ ଭିତରେ ହୀରାକୁଦର ଜଳସ୍ତର ୩ ଫୁଟ କମି ଗଲାଣି । ଅକ୍ଟୋବର ପ୍ରଥମ ସପ୍ତାହରେ ଡ୍ୟାମର ଜଳସ୍ତର ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଏହା ଖସି ଆସି ୬୨୭ ଫୁଟରେ ପହଞ୍ଚିଛି । ଏଥିପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ OHPCକୁ ଚିଠି ଲେଖିଛନ୍ତି । ଡ୍ୟାମର ମୁଖ୍ୟଯନ୍ତ୍ରୀ କହିଛନ୍ତି, ଉପରମୁଣ୍ଡରୁ ପାଣି ଆସୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଓଡି଼ଶା ସୀମାର ଠିକ୍ ଉପରେ ଥିବା ଛତିଶଗଡ଼ର କଲମା ବ୍ୟାରେଜରେ ଏବେ ମାତ୍ର ୬ଟି ଗେଟ୍ ଖୋଲା ଅଛି । ଯେତେବେଳେ ଟ୍ରିବ୍ୟୁନାଲକୁ ମହାନଦୀ ଜଳ ବିବାଦ ଯାଇଥିଲା, ସେତେବେଳେ ନିଷ୍ପତ୍ତି ହୋଇଥିଲା ଅକ୍ଟୋବର ପର୍ଯ୍ୟନ୍ତ ପୂରା ପାଣି ଛାଡ଼ିବ ଛତିଶଗଡ଼ । କିନ୍ତୁ ଏବେଠୁ ପ୍ରାୟ ସବୁ ଗେଟ୍ ବନ୍ଦ କରିଦେଇଥିବାରୁ ସିଧା ପ୍ରଭାବ ପଡ଼ିଛି ହୀରାକୁଦ ଡ୍ୟାମ୍ ଉପରେ । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଲାଣି । ଛତିଶଗଡ଼ର ଦାଦାଗିରି ଯଦି ଏପରି ଆଗକୁ ବି ଜାରି ରହେ, ତେବେ ମହାନଦୀ କୂଳିଆ ଲୋକ ଛଟପଟ ହେବେ ବୋଲି କହିଛନ୍ତି । ଚାଷବାସଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁଥିରେ ଦେଖା ଦେବ ସଂକଟ ।

ବେଳ ଥାଉ ଥାଉ ଯଦି ଏହି ମହାନଦୀ ଜଳ ବିବାଦର ସମାଧାନ ନ ହୁଏ ଏବଂ ଛତିଶଗଡ଼ ପାଣି ନ ଛାଡ଼େ ତେବେ ରାଜ୍ୟର ଅଧାରୁ ଅଧିକ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଅଛି ।