ଅଙ୍ଗ ତସ୍କରୀ ଅଭିଯୋଗ ସତ ନୁହେଁ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଙ୍ଗ ତସ୍କରୀ ଅଭିଯୋଗ ସତ ନୁହେଁ ବୋଲି ଜଣାପଡ଼ିଛି । ଟିକରବାଜୁ ଗାଁର ବାବୁଲା ଦିଗାଳଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଡାକ୍ତର କହିଛନ୍ତି, ସବୁ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଅଛି ।

ଏକ ଦୁର୍ଘଟଣାରେ ବାବୁଲାଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅପରେସନ ପରେ ବାବୁଲାଙ୍କ ମୃତ୍ୟୁ ଘଟିଥିଲା । ହେଲେ ମୃତଦେହର ପେଟରେ ସିଲାଇ ଚିହ୍ନ ରହିଥିବାରୁ ଅଙ୍ଗ ଚୋରିର ସନ୍ଦେହ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ମୃତ ଶରୀରକୁ କବରରୁ ଖୋଳି ବ୍ୟବଚ୍ଛେଦ କରାଯାଇଥିଲା । ଏବେ ଡାକ୍ତର ସ୍ପଷ୍ଟ କରିଛନ୍ତି ସବୁ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଅଛି ।

ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ଘରୋଇ ହସ୍ପିଟାଲ ସଂଘ ଏକ ସାମ୍ଵାଦିକ ସମ୍ମିଳନୀ କରି ଅଙ୍ଗ ତସ୍କରୀକୁ ଖଣ୍ଡନ କରିଛନ୍ତି । ତେବେ ହସ୍ପିଟାଲ ତରଫରୁ ବ୍ୟବଚ୍ଛେଦ ନ କରିବା ଭୁଲ ବୋଲି ସ୍ଵୀକାର କରାଯାଇଛି । ଡାକ୍ତରଖାନାରେ ବ୍ୟବଚ୍ଛେଦ କରା ନଯିବା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।