ବୃଦ୍ଧଙ୍କୁ ଜୀବନ୍ତ ପୋଡ଼ି ମାରି ଦେବାକୁ ଉଦ୍ୟମ, ଜୀବନ ବଞ୍ଚାଇବାକୁ ପୋଖରୀକୁ ଡେଇଁଲେ

ନୂଆପଡ଼ା: ଜଣେ ବୃଦ୍ଧଙ୍କ ଦେହରେ ପାଳ ବାନ୍ଧି ନିଆଁ ଲଗାଇ ମାରିବାକୁ ଗାଁ ଲୋକଙ୍କ ଉଦ୍ୟମ ଅଭିଯୋଗ । ଏଭଳି ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପୋର୍ଟିପଡ଼ା ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

କିଛିଦିନ ହେଲା ଗାଁର ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ସେହି ବୃଦ୍ଧଙ୍କୁ ଦାୟୀ କରାଯାଇଥିଲା । ଗୁରୁବାର ରାତିରେ ଗାଁ ଲୋକେ ଏକ ବୈଠକ କରିଥିଲେ । ବୃଦ୍ଧଙ୍କୁ ବୈଠକକୁ ଡାକି ସେ ହିଁ ଗୁଣି ଗାରେଡ଼ି କରୁଥିବାର ଅଭିଯୋଗ ଆଣିଥିଲେ । କିନ୍ତୁ ବ୍ୟକ୍ତି ଜଣକ କିଛି କରି ନାହାନ୍ତି ବୋଲି କହିଥିଲେ । ହେଲେ ତାଙ୍କ କଥା କେହି ଶୁଣି ନଥିଲେ । ସେ ଗୁଣି କରୁଥିବା କହି ଦେହରେ ପାଳ ବିଡ଼ା ବାନ୍ଧି ନିଆଁ ଲଗାଇ ଦେଇଥିଲେ । ବ୍ୟକ୍ତି ଜଣକ ନିଜକୁ ରକ୍ଷା କରିବାକୁ ଦୌଡ଼ି ଯାଇ ପୋଖରୀକୁ ଡେଇଁ ପଡ଼ିଥିଲେ । ପରେ ପୋଲିସକୁ ଫୋନ କରିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ଵାସ୍ଥ୍ୟ ଠିକ୍ ଅଛି ।