ବଞ୍ଚିଲା ଲୋକକୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନା ସହାୟତା ଅର୍ଥ ଆତ୍ମସାତ

ଭୁବନ: ଜୀବିତ ଥିବା ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଲୁଟ । ବଞ୍ଚିଥିବା ଲୋକକୁ କାଗଜକଲମରେ ୭ ବର୍ଷ ତଳୁ ମାରି ଖାଇଯାଇଛନ୍ତି ହରିଶ୍ଚନ୍ଦ୍ର ଯୋଜନା ସହାୟତା । ଏମିତି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ।

ମିଳିଥିବା ସୂଚନା ଅନୁସାରେ, ଭୁବନ ଭୁଷଳରୁ ଆସିଛି ଏମିତି ଅଭିଯୋଗ । ଜୀବିତ ଲୋକଙ୍କ ନାଁରେ ହରିଶ୍ଚନ୍ଦ୍ର ଟଙ୍କା ଉଠାଇ ନିଆଯାଇଛି । ବିଡ଼ିଓଙ୍କ ନିକଟରେ ଦ୍ବାରସ୍ଥ ହେଲେ ଜୟପୁର ଗାଁର ଦୁଇ ବୃଦ୍ଧ ଚିଲ ବେହେରା ଏବଂ ରଘୁନାଥ ବେହେରା ଏପରି ଅଭିଯୋଗ କରିଛନ୍ତି ।

ଦୁହେଁ ବଞ୍ଚିଥିବା ବେଳେ ସରକାରୀ କାଗଜପତ୍ରରେ ୭ ବର୍ଷ ପୂର୍ବରୁ ମୃତ ବୋଲି ରେକର୍ଡ ହୋଇଛି । ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ୨ ହଜାର ଟଙ୍କା ସେମାନଙ୍କ ପୁଅମାନେ ଉଠାଇ ନେଇଥିବା ଜଣାପଡିଛି । ହେଲେ ପ୍ରକୃତରେ କିଏ ନେଇଛି ଏହି ଟଙ୍କା ତାହା ସ୍ପଷ୍ଟ ନାହିଁ । ତେବେ ଏପରି ଘଟଣାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଭୁବନ ବିଡ଼ିଓଙ୍କୁ ଏନେଇ ଲିଖିତ ଅଭିଯୋଗ ହୋଇଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ବିଡ଼ିଓ ।