ଓଡ଼ିଶାକୁ ବାତ୍ଯା ଆସିବା ନିଶ୍ଚିତ !

ଭୁବନେଶ୍ୱର: ପୁଣି ଅଶୁଭ ହେବ କି ଅକ୍ଟୋବର । ପୁଣି ଓଡ଼ିଶାକୁ ଆସିବ କି ବାତ୍ୟା । ଧିରେ ଧିରେ ସ୍ପଷ୍ଟ ଚିତ୍ର ଆସିବା ସହ ବଢୁଛି ବାତ୍ଯା ଆଶଙ୍କା।  ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୨୫ ଏବଂ ୨୬ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଛି । ଏହା ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ । ଘୂର୍ଣ୍ଣିବଳୟ ସୃଷ୍ଟି ପରେ ବାତ୍ୟାର ଗତିପଥ ଏବଂ ତୀବ୍ରତା ସ୍ପଷ୍ଟ ହେବ ।

ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହିବା ସହ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି । ଏହା ସହ ସମୁଦ୍ରର ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ରହୁଛି । ଅନ୍ୟାନ୍ୟ ପାଣିପାଗ କାରକ ମଧ୍ୟ ବାତ୍ୟା ସୃଷ୍ଟି ନେଇ ଅନୁକୂଳ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଇଏମଡି ବାତ୍ୟା ନେଇ କୌଣସି ଆକଳନ କରିନି । ରବିବାର ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି । ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ହେବ ପ୍ରବଳ ବର୍ଷା । ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି । ଏପଟେ ସମ୍ଭାବ୍ୟ ବର୍ଷାକୁ ନେଇ ୧୬ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ କରିଛନ୍ତି ।