ଭରତପୁର ଥାନା ମାମଲାର ଅଗ୍ରଗତି ସମୀକ୍ଷା କଲେ କମିଶନ
1 min readଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଆଜି ଦ୍ୱିତୀୟ ବୈଠକ ଶେଷ ହୋଇଛି । ବୈଠକରେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କମିଶନ । କମିଶନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ ଅବଗତ କରାଯାଇଛି ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏଡିଜି ବିନୟତୋଷ ମିଶ୍ର ।
ଗୁଜୁରାଟ ଗାନ୍ଧୀନଗରରେ ସମସ୍ତ ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସହ ବ୍ରେନ୍ ମ୍ଯାପିଂ ଓ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ।
ସେପଟେ କମିଶନଙ୍କ ସଚିବ କହିଛନ୍ତି ଯେହେତୁ କ୍ରାଇମବ୍ରାଞ୍ଚ ଗୁଜୁରାଟରୁ ପଲିଗ୍ରାଫ ରିପୋର୍ଟ ଆଦି ପାଇନାହିଁ ସେଥିପାଇଁ ସେମାନେ କିଛି ତଥ୍ଯ ଦେଇପାରିନାହାଁନ୍ତି । ମ୍ଯାଜିଷ୍ଟ୍ରେଟଙ୍କ ପାଖରେ ପୀଡିତାଙ୍କ ବୟାନ ରେକର୍ଡ ସରିଛି । କୌଣସି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇନାହିଁ । ଅନ୍ଯପଟେ ଆହ୍ବାନ ପରେ କମିଶନଙ୍କ ନିକଟରେ ଅନେକ ସତ୍ଯପାଠ ଦାଖଲ ହୋଇଛି ।
ଆଜିର ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ଗୃହ ସଚିବ ରାଧାକୃଷ୍ଣ ଶର୍ମା, ADG କ୍ରାଇମବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ । ଏହାସହ ଦୁଇ ତଦନ୍ତକାରୀ ଅଧିକାରୀ DSP ନିଳିମା ପଣ୍ଡା ଓ DSP ନରେନ୍ଦ୍ର ବେହେରା ମଧ୍ଯ ଉପସ୍ଥିତ ଥିଲେ । ନିକଟରେ ପୂରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ପୂର୍ବତନ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି । ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ଯ କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନ ଦ୍ବିତୀୟ ବୈଠକ ଡକାଇଥିଲେ ।
ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥର ଗାଡ଼ିଆ ଓ ଭରତପୁର ରାସ୍ତାରେ କିଛି ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯିବା ପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।