ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ; ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ। ଧର୍ମମାସରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିବେ। ବୃନ୍ଦାବତୀଙ୍କ ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ କରିବେ ପୂଜାର୍ଚ୍ଚନା।

ଶ୍ରୀଜଗନ୍ନାଥଙ୍କୁ ଦୀପ ଧୂପ ନୈବେଦ୍ୟ ଦେଇ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରିବେ। ଏହି ମାସରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଧୂପ ଭୋଗ କରାଯିବ। ଚଳିତ ବର୍ଷ ପଞ୍ଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ। ଠିଆକିଆ ବେଶ, ବାଙ୍କଚୁଡା ବେଶ, ଡାଳିକିଆ ବେଶ ହେବ । ଚତୁର୍ଦ୍ଦଶୀ ତିଥି କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ। ପୂର୍ଣ୍ଣମୀ ଦିନ ଶ୍ରୀଜୀଉଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ।