‘ସୁଭଦ୍ରାର ଠିକଣା’କୁ ନେଇ ଡ.ପ୍ରତିଭା ରାୟଙ୍କ ପ୍ରତିକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିର ପୋର୍ଟାଲରେ ପ୍ରକାଶ ପାଇଥିବା ‘ସୁଭଦ୍ରାର ଠିକଣା’କୁ ନେଇ ବିଶିଷ୍ଟ ସାହିତ୍ୟିକ ତଥା ଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଡ. ପ୍ରତିଭା ରାୟ ନିଜ ମନ୍ତବ୍ୟ ରଖିଛନ୍ତି । ଡ.ରାୟଙ୍କ ଦ୍ୱାରା ଜାରି ବକ୍ତବ୍ୟରେ ତାଙ୍କ ମତାମତକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି କୁହାଯାଇଛି।

ତାଙ୍କ ଦ୍ୱାରା ଜାରି ବକ୍ତବ୍ୟରେ କୁହାଯାଇଛି ଯେ, ସରଳ ସହଜ ଲେଖାଟିଏ ଗଣମାଧ୍ୟମ ବୁଝିପାରି ନାହିଁ । ତାଙ୍କ ମତକୁ ସଠିକ ଭାବେ ଉପସ୍ଥାପନ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ କିଛି ରାଜନୈତିକ ଦଳର ନେତାଙ୍କ ଦ୍ୱାରା ଜାରି ବକ୍ତବ୍ୟ ଉପରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କର ବକ୍ତବ୍ୟ ଦୁଃଖ ଦାୟକ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କ ଲେଖାକୁ ଶରତ ରାଉତ ସମ୍ଭବତଃ ପଢ଼ି ନାହାନ୍ତି ବୋଲି ସେ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ, ଏକ ଖବର କାଗଜରେ ପ୍ରକାଶିତ ଡ.ରାୟଙ୍କ ଲେଖାକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତ୍ରୁବୃନ୍ଦଙ୍କ ପ୍ରତିକ୍ରିୟାକୁ ନନ୍ଦିଘୋଷ ୱେବ ପୋର୍ଟାଲ ସର୍ବସାଧାରରଣରେ କେବଳ ଉପସ୍ଥାପନ କରିଥିଲା। ଯେଉଁ ବକ୍ତବ୍ୟ ସବୁ ସର୍ବସାଧାରଣରେ ଉପଲବ୍ଧ ଥିଲା । ଏହା ନନ୍ଦିଘୋଷ ଟିଭିର କୌଣସି ବ୍ୟକ୍ତିଗତ ମତ ନଥିଲା । ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା, ସର୍ବ ସାଧାରଣ ପ୍ରତିକ୍ରିୟାକୁ ନେଇ ଆମେ ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବରେ ଖବର କରିଥିଲୁ । ଏଥିରେ ଶ୍ରୀମତି ରାୟଙ୍କୁ ଅସମ୍ମାନିତ କରିବା ଭଳି ଆମର କୌଣସି ଉଦ୍ଦେଶ୍ୟ ନଥିଲା ।

ସୂଚନାଯୋଗ୍ୟ, ଏକ ଦୈନିକ ଖବର କାଗଜରେ ଶ୍ରୀମତି ରାୟଙ୍କ ‘ସୁଭଦ୍ରାଙ୍କ ଠିକଣା’ ଶୀର୍ଷକ ଲେଖା ପ୍ରକାଶ ପାଇଥିଲା । ଏଥିରେ ସେ ସୁଭଦ୍ରାଙ୍କୁ ଖୋଜୁଥିବା ଉଲ୍ଲେଖ କରିଥିଲେ । ତାଙ୍କର ଏହି ଲେଖାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିଲା । ଯାହାକୁ ନେଇ ବିରୋଧୀ ଦଳ ନେତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ଆଧାର କରି ଆମେ ଆମ ପୋର୍ଟାଲରେ ଉକ୍ତ ଖବରଟି ପ୍ରକାଶ କରିଥିଲୁ ।