୧୦ ବର୍ଷର ଶାସନ, ଏବେ ବି ୧୩ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ: ବିଜେପି ସରକାରର ଇଏ କି ପ୍ରକାର ସମ ବିକାଶ ?

1 min read

ଭୁବନେଶ୍ବର: ୧୦ ବର୍ଷ ହେଲାଣି ଦେଶରେ ବିଜେପି ନେତୃତ୍ବାଧୀନ ଏନଡଏ ସରକାର ଚାଲିଛି । ସବୁ ଲୋକଙ୍କ ସମ ବିକାଶକୁ ଗୁରୁତ୍ବ ଦିଆଯାଇଛି ବୋଲି ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ସରକାର । ଅଥଚ ଏବେ ବି ୧୩ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । ଭାରତର ଗରିବୀ ହ୍ରାସ ନେଇ ଏକ ରିପୋର୍ଟରେ ଏଭଳି ଚିତ୍ର ଦେଖାଇଛି ବିଶ୍ବ ବ୍ୟାଙ୍କ । ଖାଲି ସେତିକି ନୁହେଁ, ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୫ ତମ ସ୍ଥାନରେ ରହିଛି । ଅଭିଯୋଗ ହୋଇଛି, ଏଥିପାଇଁ ଦାୟୀ କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନୀତି । ଦେଶରେ ଧନୀ ଅଧିକ ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହୋଇ ଚାଲିଛନ୍ତି ।

ଖାଦ୍ୟ ସୁରକ୍ଷାଠୁ ମାଗଣା ସ୍ବାସ୍ଥ୍ୟସେବା । ଖର୍ଚ୍ଚ ହେଉଛି ଲକ୍ଷାଧିକ କୋଟି । ଲକ୍ଷାଧିକ କୋଟି ଜିଏସଟି ସଂଗ୍ରହ କରି ରେକର୍ଡ କରୁଛନ୍ତି କେନ୍ଦ୍ର ସରକାର । ମେକ୍-ଇନ୍-ଇଣ୍ଡିଆ, ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ପିଏମ୍ ପୋଷଣ ପରି ମାଳ ମାଳ ଯୋଜନା । ହେଲେ ଦାରିଦ୍ର୍ୟ ହ୍ରାସ କରିବାରେ ବିଫଳ କେନ୍ଦ୍ର ସରକାର । ଏବେ ବି ଉତ୍କଟ ଦାରିଦ୍ର୍ୟତାର ଶିକାର ପ୍ରାୟ ୧୩ କୋଟି ଲୋକ । ଦାରିଦ୍ର୍ୟ ହ୍ରାସ ନେଇ ଭାରତ ସନ୍ଦର୍ଭରେ ଏଭଳି ଚିତ୍ର ଦେଖାଇଛି ଖୋଦ ବିଶ୍ବ ବ୍ୟାଙ୍କ ।

ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଭିଯୋଗ ହୋଇଛି କେନ୍ଦ୍ର ସରକାରଙ୍କ ସବୁ ନୀତି କେବଳ କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ପାଇଁ । ଦେଶର ୨୮ଟି ରାଜ୍ୟରୁ ଅର୍ଦ୍ଧାଧିକ ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ତଥାପି ୧୦ ବର୍ଷ ଭିତରେ ଦାରିଦ୍ର୍ୟ ହ୍ରାସ କରିବାରେ କିଛି ବି ସଫଳତା ପାଇନି । ରିପୋର୍ଟ ଅନୁଯାୟୀ ଦୈନିକ ଆୟ ୫୭୬ ଟଙ୍କା ଆୟ କରୁଥିବା ଲୋକ ତା’ ପରିବାର ପାଇଁ ଦୁଇ ଓଳି ଦୁଇମୁଠା ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଇପାରୁନି । ଓଡ଼ିଶା ଭଳି ରାଜ୍ୟରେ ଦୈନିକ ମଜୁରୀ ଏହାଠାରୁ ବି କମ୍ । ଗୋଟିଏ ପଟେ କେନ୍ଦ୍ର ସରକାର ଅର୍ଥନୀତିକୁ ଦୁଇଅଙ୍କ ବିଶିଷ୍ଟ ଟ୍ରିଲିୟନରେ ପହଞ୍ଚାଇବାକୁ ପ୍ରଚାର ଚଳାଇଛନ୍ତି । ଅନ୍ୟପଟେ ଗରିବଙ୍କ ଅର୍ଥରେ ବିକଶିତ ହେଉଥିବା ଭିତ୍ତିଭୂମିର ଲାଭ ଉଠାଉଛନ୍ତି ଧନୀବର୍ଗ । ଗରିବ ସୀମାରେଖା ଉପରକୁ ଉଠିବାକୁ ହେଲେ କେବଳ ମାଗଣା ରାସନ୍ କି ସ୍ବାସ୍ଥ୍ୟସେବା ପର୍ଯ୍ୟାପ୍ତ ନୁହେଁ, ସବୁ ବର୍ଗର ଲୋକଙ୍କୁ ଆବଶ୍ୟକ ରୋଜଗାର ।

ଗୋଟେ ପଟେ କୋଟିପତି । ଆଉ ଗୋଟେ ପଟେ କୁଟୀରପତି । ସମୀକ୍ଷକଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାରଙ୍କ ଟ୍ରିଲିୟନ ଅର୍ଥନୀତି ବିକାଶ କେବଳ ନାମକୁ ମାତ୍ର । ଜିଏସଟି ସଂଗ୍ରହ ଓ ଅଭିବୃଦ୍ଧି ବଢିଲେ ଲୋକଙ୍କ ମୁଣ୍ଡପିଛା ଆୟ ବଢେନି । ବିଶ୍ବ କ୍ଷୁଧା ସୂଚକାଙ୍କରେ ଏବେ ବି ୨୦ କୋଟି ଲୋକ ଅପପୁଷ୍ଟିର ଶିକାର । ଯାହାକି ବ୍ରାଜିଲର ମୋଟ ଜନସଂଖ୍ୟା ସହିତ ସମାନ । ଗ୍ରାମାଞ୍ଚଳରେ ୬୩.୩ ପ୍ରତିଶତ ଲୋକ ସେମାନଙ୍କ ଆୟର ଶତପ୍ରତିଶତ ଖର୍ଚ୍ଚ କଲେ ବି ଦୁଇବେଳା ପେଟପୂରା ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି । କିନ୍ତୁ କେନ୍ଦ୍ର ସରକାର ଏହି ବାସ୍ତବତାକୁ ସ୍ବୀକାର କରିନାହାନ୍ତି । ଓଲଟା ବିଭିନ୍ନ ଜାତୀୟ ସ୍ତରର ସର୍ଭେ ଏଜେନ୍ସି ଉପରେ ଚାପ ପକାଇ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଫଳ ଏପରି, ବେରୋଜଗାରୀ ଚରମ ସୀମାରେ ପହଞ୍ଚି ଥିବା ଅଭିଯୋଗ ହୋଇଛି ।

ପୁଳାପୁଳା ଯୋଜନା ଆଉ କାର୍ଯ୍ୟକ୍ରମ । ପ୍ରଚାରରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ସ୍ବାଧୀନତାର ୭୭ ବର୍ଷ ପରେ ବି ଦେଶରୁ ଗରିବୀ ହଟିପାରିନି । ବିଶ୍ବ ବ୍ୟାଙ୍କର ଏହି ରିପୋର୍ଟ ପରେ କେନ୍ଦ୍ର ସରକାର ଚେତିବେ ନା ନିଜେ ଠିକ୍ ଅଛନ୍ତି ବୋଲି ପ୍ରଚାର କରିବେ ତାହା ହିଁ ଚିନ୍ତାର ବିଷୟ ।