ଓଡ଼ିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ଦିଲ୍ଲୀରେ ବିଜେପି ସରକାର ବିରୋଧରେ ଯୁବ କଂଗ୍ରେସର ଗର୍ଜନ

ଭୁବନେଶ୍ବର: ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ଏହି ନ୍ଯାୟରେ ୩ ମାସ ଉପରେ ସମୟ ବିତିଲାଣି । ଏହାସତ୍ତ୍ବେ ଓଡିଆ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅଙ୍କ ମାଡ ମାରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଡିଆ ଅସ୍ମିତା ଘୋଷି ହେଉଥିବା ବିଜେପି ପାଇଁ ଏହି ଘଟଣାରେ ଓଡିଆ ଅସ୍ମିତା କୁଆଡେ ଗଲା ବୋଲି କହି ଦିଲ୍ଲୀରେ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ । ତୁରନ୍ତ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବା ଦାବିରେ ଜନ୍ତରମନ୍ତରରେ ଦେଇଛି ଧାରଣା । ରାଜ୍ୟ ସରକାର କାହିଁକି ଚୁପ ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିବା ସହ ବିଜେପିକୁ ଅସ୍ମିତାର କାଠଗଡ଼ାରେ ଠିଆ କରାଇଛି । ଅନ୍ୟପଟେ ରାଜ୍ୟପାଳଙ୍କ ପୁଅଙ୍କ ଗିରଫ ଦାବି ଫେରିବା ପରେ ଉଷ୍ମ ହୋଇଛି ରାଜ୍ଯ ରାଜନୀତି ।

ଓଡ଼ିଆ ଅସ୍ମିତା ପାଇଁ ଦିଲ୍ଲୀରେ ଲଢେଇ । ରାଜ୍ୟପାଳଙ୍କ ପୁଅ ଓ କିଛି ଅଣଓଡ଼ିଆ ସାଙ୍ଗ ଓଡ଼ିଆ ସରକାରୀ ଅଧିକାରଙ୍କୁ ମାଡ଼ ମାରିବା ଘଟଣା ଓଡ଼ିଶାରୁ ଯାଇ ଦିଲ୍ଲୀରେ ପହଞ୍ଚିଛି । ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଦିଲ୍ଲୀର ଜନ୍ତରମନ୍ତରରେ କରିଛନ୍ତି ଜୋରଦାର ପ୍ରତିବାଦ । ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗର୍ଜନ କରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର, ୟାସିର ନଓ୍ବାଜଙ୍କ ନେତୃତ୍ବରେ ବହୁ ଯୁବ ନେତା ପଚାରିଛନ୍ତି ପ୍ରଶ୍ନ । କୁଆଡ଼େ ଗଲା ଓଡ଼ିଆ ଅସ୍ମିତା ? କାହିଁକି ରାଜ୍ୟପାଳ ପୁଅ ଗିରଫ ହେବେ ନାହିଁ ? ଓଡ଼ିଶା ସରକାର କାହିଁକି ରାଜ୍ୟପାଳ ପୁଅଙ୍କୁ ଗିରଫ କରୁନାହିଁ ? ବାରମ୍ବାର ଦାବି ସତ୍ତ୍ବେ କାହିଁକି ପୋଲିସ ଏଏସଓ ପରିବାରଙ୍କୁ ନ୍ୟାୟ ଦେଉନାହିଁ ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଛି । ଘଟଣାକୁ ତିନି ମାସରୁ ଅଧିକ ସମୟ ବିତିଲାଣି । ସରକାର ଓ ବିଜେପି କାହିଁକି ଚୁପ ? ବୈକୁଣ୍ଠ ପ୍ରଧାନଙ୍କୁ କେବେ ନ୍ୟାୟ ମିଳିବ ବୋଲି ଯୁବ କଂଗ୍ରେସ ନେତା ୟାସିଓ ନଓ୍ବାଜ ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିବାଦ କରିଛି ଦଳ । ରାଜ୍ୟପାଳ ପୁଅଙ୍କ ପାଇଁ ଗୋଟେ ଆଇନ ଓ ରାଜ୍ୟପାଳଙ୍କ ପାଇଁ ଆଉ ଗୋଟେ ଆଇନ ଚଳିବ ନାହିଁ ବୋଲି ଯୁବ କଂଗ୍ରେସ ଚେତାଇ ଦେଇଛି ।

ଦିଲ୍ଲୀ ଦରବାରରେ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବି ପହଞ୍ଚିବା ପରେ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି ଯେ, ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଛନ୍ତି । କଂଗ୍ରେସ ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ଦିଲ୍ଲୀରେ ଆନ୍ଦୋଳନ କରିଛି । ରାଜ୍ୟପାଳ ପୁଅ ଓ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ଶାସକ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି । ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।