ବିମାନକୁ ବୋମା ଆତଙ୍କ: ଭୁବନେଶ୍ବର ଏୟାରପୋର୍ଟ ଉପରେ ପଡୁନି ପ୍ରଭାବ

ଭୁବନେଶ୍ବର: ବିମାନ ବନ୍ଦରକୁ ଆସୁଛି ହୋକ୍ସ କଲ । ପ୍ରଭାବିତ ହେଉଛି ସାରା ଦେଶର ବିମାନ ସେବା । ଗୋଟିଏ ବିମାନ ବନ୍ଦରକୁ ଏମିତି କଲ ଆସିଲେ, ପ୍ରାୟ ସବୁ ବିମାନ ବନ୍ଦର ଉପରେ ପଡୁଛି ପ୍ରଭାବ । ଅଯଥାରେ ଯାତ୍ରୀ ହେଉଛନ୍ତି ହନ୍ତସନ୍ତ । ଦିଲ୍ଲୀ ବିମାନ ବନ୍ଦରକୁ ବୋମା ଆତଙ୍କ ଫୋନ୍ ଆସୁଥିଲେ ବି ଓଡ଼ିଶା ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ିନି । ହୋକ୍ସ କଲ ଆସୁଥିବାରୁ ଆଗୁଆ ଆଲର୍ଟରେ ରହିଛି ଭୁବନେଶ୍ବର ବିମାନ ବନ୍ଦର । ସୁରକ୍ଷା ଦୃଷ୍ଟିରୁ ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟିର ବଢ଼ିଛି ଦାୟିତ୍ବ ।

ଏସିଆ ମହାଦେଶର ସର୍ବବୃହତ ବିମାନ ବନ୍ଦର ମଧ୍ୟରୁ ଅନ୍ୟତମ ଦିଲ୍ଲୀ । ପ୍ରତିଦିନ ଶହ ଶହ ବିମାନ ଏଠାରୁ ଦେଶ ଭିତରକୁ ଓ ବାହାରକୁ ଯାତାୟତ କରେ । ଯେଉଁଥି ପାଇଁ ସାରା ଦେଶରେ ଏହି ବିମାନ ବନ୍ଦରର ଗରୁତ୍ବ ରହିଛି । ହେଲେ ଏଠାକୁ ଆସୁଥିବା ଗୁଜବ ବୋମା ଆତଙ୍କ ଫୋନ୍ କଲ ବା ବମ୍ ଥ୍ରେଟ୍ କଲ୍ ସାରା ଦେଶର ବିମାନ ସେବାକୁ ପ୍ରଭାବିତ କରୁଛି । ଦିଲ୍ଲୀ ବିମାନ ବନ୍ଦରରେ ପାଖାପାଖି ୧୩ଟି ବିମାନକୁ ଏପରି କଲ୍ ଆସିବାରୁ, ଦେଶ ଓ ବିଦେଶର ୫୦୦ରୁ ଅଧିକ ବିମାନକୁ ମିଳି ନଥିଲା ଏୟାର ଟ୍ରାଫିକ୍ କ୍ଲିୟରାନ୍ସ । ସୌଭାଗ୍ୟବଶତଃ ଦିଲ୍ଲୀରେ ହୋଇଥିବା ହୋକ୍ସ କଲକୁ ନେଇ ଭୁବନେଶ୍ବରରେ କୌଣସି ବିମାନ ସେବା ପ୍ରଭାବିତ ହୋଇନି । ହେଲେ ଏପରି ହୋକ୍ସ କଲ ବା ବମ ଥ୍ରେଟ କଲ ପାଇଁ ପଞ୍ଜିକୃତ ବିମାନ ବନ୍ଦରରେ ଏକ ବମ ଥ୍ରେଟ  କଣ୍ଟିଜେନସି ପ୍ଲାନ ରହିଛି । ଯାହାକୁ ଅନୁମୋଦନ ଦେଇଥାଏ ବିସିଏ ବା ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ । ତା’ ହିସାବରେ ସୁରକ୍ଷା ଏଜେନ୍ସି, ବିମାନ କମ୍ପାନୀ ପରି ବିମାନ ବନ୍ଦରର ସମସ୍ତ ଅଂଶୀଦାର ଦାୟିତ୍ବ ନିର୍ବାହ କରିଥାନ୍ତି । ଏଥିରେ ଯାତ୍ରୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟିର ବିଭିନ୍ନ ପ୍ରୋଟୋକଲ୍ ମାନିବାକୁ ପଡେ । ହୋକ୍ସ କଲ୍ ସତ ବୋଲି ପ୍ରମାଣିତ ହେବା ପରେ ପୁଣି ଥରେ କଡ଼ା ଚେକିଂ କରିଥାନ୍ତି ସୁରକ୍ଷା ଅଧିକାରୀ ।

ଟେଲିକମ୍ ମ୍ୟାନେଜମେଣ୍ଟ ସିଷ୍ଟମ ଦେଇ ଆସିଥାଏ ସମସ୍ତ ଫୋନ୍ କଲ୍ । ଏହି ସିଷ୍ଟମ ନିଜ ଆଡୁ ହୋକ୍ସ କଲକୁ ବାଦ୍ ପକାଇବା କ୍ଷମତା ରଖିଛି । ବ୍ୟକ୍ତିଗତ କଲ୍ ବା ଅନୁଷ୍ଠାନକୁ ଏପରି କଲ୍ ଆସିଥାଏ । ବ୍ୟକ୍ତିଗତ କଲ୍ ଅନେକ ସମୟରେ ହୋକ୍ସ ଭାବେ ଚିହ୍ନଟ ହୋଇ ସ୍ପାମ ତାଲିକାଭୁକ୍ତ ହୋଇଯାଏ । ତେବେ ଟେଲିକମ ଅପରେଟରଙ୍କ ଜରିଆରେ ଏପରି ହୋକ୍ସ କଲରଙ୍କୁ ଧରାଯାଇ ପାରିବ । ଭଏସ୍ ଓଭର ଇଣ୍ଟରନେଟ୍ କଲ୍ ଧରିବା ସାମାନ୍ୟ କାଠିକର ପାଠ । କାରଣ ଏହା ଇଣ୍ଟରନେଟ୍ ଜରିଆରେ ଆସିଥାଏ । ହେଲେ ଭିଓଆଇପି ଅପରେଟର ଭଲ ଭାବେ ଟ୍ରାକ୍ କଲେ, ଏପରି କଲରଙ୍କୁ ଧରାଯାଇ ପାରିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ ।

ଚଳିତ ବର୍ଷ ଆରମ୍ଭରୁ ହିଁ ଦିଲ୍ଲୀ ବିମାନ ବନ୍ଦରକୁ ଏପରି ଅନେକ ହୋକ୍ସ କଲ୍ ଆସୁଛି । ଯାହା ଦିଲ୍ଲୀ ସମେତ ସାରା ଦେଶର ବିମାନ ବନ୍ଦରକୁ ହାଇ ଆଲର୍ଟ କରୁଛି । ହୋକ୍ସ କଲ୍ ଆସୁଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାତ୍ରୀ ଓ ରୋଗୀ ।