ଅସଦାଚରଣ କଲା ଡ୍ରାଇଭର, ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା: ଅଟୋ ଡ୍ରାଇଭରର ଔଦ୍ଧତ୍ୟ । ଅଟୋରେ ବସାଇ ଦୁଇ ଯୁବତୀଙ୍କୁ କଲା ଅସଦାଚରଣ । ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ତିନି ମୁହାଣୀ ପାଖରୁ ଦୁଇ ଯୁବତୀଙ୍କୁ ଅଟୋରେ ବସାଇଥିଲା । ଚାନ୍ଦୋଳରେ ଛାଡିବା ପାଇଁ କହିଥିଲା ଡ୍ରାଇଭର ଶ୍ରୀଧର ନାୟକ । ହେଲେ ଯୁବତୀ ୨ ଜଣ ଅଟୋରେ ବସିବା ପରେ ଆଉ ଅଟକାଇ ନଥିଲା ଅଟୋ ।

ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା । ତେବେ ଯୁବତୀ ଦୁଇ ଜଣ ଜୀବନ ବଞ୍ଚାଇବାକୁ ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଅଟୋକୁ ଅଟକାଇ ପୋଲିସ ଜିମା ଦେଇଥିଲେ । ଏହାସହ ଆହତ ୨ ଯୁବତୀଙ୍କୁ ମେଡିକାଲକୁ ପଠାଇ ଥିଲେ । ଜଣଙ୍କ ଗୋଡ଼ ଭାଙ୍ଗି ଯିବାରୁ କଟକରେ ଚିକତ୍ସିତ ହେଉଛନ୍ତି । ଅସଦାଚରଣ ସହ ସୁନା ଚେନ ଛଡାଇ ହତ୍ୟା ଉଦ୍ୟମ କରିଥିବା ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

ଡେରାବିଶ ପୋଲିସ ମାମଲା ରୁଜୁ କରି ଅଟୋ ଡ୍ରାଇଭରକୁ ଅଟକ ରଖିଛି । ଅଟୋ ଡ୍ରାଇଭର ଶ୍ରୀଧର ନାୟକ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜମଧରର ବୋଲି ସୂଚନା ମିଳିଛି । ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।