ପ୍ରତିଭା ରାୟଙ୍କ ‘ସୁଭଦ୍ରାର ଠିକଣା’କୁ ନେଇ ଚର୍ଚ୍ଚା

1 min read

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ବିରୋଧୀଙ୍କ ଅଭିଯୋଗ- ବିଜେପି ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପରିବର୍ତ୍ତେ ଯୋଜନାଟା ହିଁ ପ୍ରହସନରେ ପରିଣତ ହୋଇଛି। ମହିଳାମାନେ ହନ୍ତସନ୍ତ ହେବାର ଚିତ୍ର ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଏତିକି ବେଳେ ସୁଭଦ୍ରାର ଠିକଣା ଖୋଜୁଛନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରତିଭା ରାୟ। କିଏ ସେହି ସୁଭଦ୍ରା, କାହିଁକି ତାଙ୍କୁ ଖୋଜୁଛନ୍ତି ପ୍ରତିଭା ରାୟ – କାରଣ କଣ। ତାଙ୍କୁ ଯଦି ପ୍ରତିଭା ରାୟ ଭେଟନ୍ତି, କଣ କହିବେ।

ବିଶିଷ୍ଟ ସାହିତ୍ୟିକ ପ୍ରତିଭା ରାୟଙ୍କ ଏକ ଲେଖାକୁ ନେଇ ଚର୍ଚ୍ଚା।  ସୁଭଦ୍ରାର ଠିକଣା। ଏହି ଶୀର୍ଷକରେ ପ୍ରତିଭା ରାୟଙ୍କ ଏକ ଲେଖା ପ୍ରକାଶ ପାଇଛି। ଜଣେ ସୁଭଦ୍ରାକୁ ଖୋଜୁଛନ୍ତି ପ୍ରତିଭା ରାୟ। ରାଜ୍ୟ ସରକାରଙ୍କ ଯୋଜନା ସୁଭଦ୍ରା ପାଇଁ ଆବେଦନ ବେଳେ ସାରା ରାଜ୍ୟରେ ଅନେକ ବିଭ୍ରାଟ ଦେଖିବାକୁ ମିଳିଥିଲା। ଅକଥନୀୟ ହଇରାଣ ହୋଇଥିଲେ ମହିଳାମାନେ। ସେତିକି ବେଳେ ଗଣମାଧ୍ୟମରେ ଜଣେ ମହିଳା ଏପରି କଥାଟିଏ କହିଲେ, ଯାହା ପ୍ରତିଭା ରାୟଙ୍କୁ ବହୁତ ପ୍ରଭାବିତ କରିଥିଲା। ସେଥିପାଇଁ ସେହି ମହିଳା ସାଜିଛନ୍ତି ପ୍ରତିଭା ରାୟଙ୍କ ଲେଖାର ନାୟିକା। ମହିଳା ଜଣକ କହିଥିଲେ, ଆମର ସୁଭଦ୍ରା ଯୋଜନା ଟଙ୍କା ଆବଶ୍ୟକ ନାହିଁ। ଆମେ ଖଟି ଖାଇ ସମ୍ମାନର ସହି ବଞ୍ଚି ଆସିଛୁ ଏବଂ ବଞ୍ଚିପାରିବୁ। ତେଣୁ ସରକାର ସୁଭଦ୍ରା ଯୋଜନା ବନ୍ଦ କରନ୍ତୁ। କିନ୍ତୁ ମଦ ବି ପୁରା ବନ୍ଦ କରନ୍ତୁ। ମଦ ପାଇଁ ଦାରିଦ୍ର୍ୟ ବଢୁଛି, ପରିବାର ଭାଙ୍ଗୁଛି। ନିଜ ଗୋଡ଼ରେ ଛିଡ଼ା ହୋଇ ସ୍ଵାବଲମ୍ବୀ ହେବାକୁ ମହିଳା ଜଣକ ଯେଉଁ ସ୍ଵାଭିମାନ ଦେଖାଇଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିଭା ରାୟ । ତାଙ୍କର ଏହି ଲେଖାକୁ ବିଜେଡି ସ୍ଵାଗତ କରିବା ସହିତ ବିଜେପି ସରକାର ଉପରେ ବର୍ଷିଛି। ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି, ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ମହିଳାଙ୍କୁ ଠକିଛନ୍ତି ଏବଂ ସ୍ଵାବଲମ୍ବୀ ହେବାରୁ ବଞ୍ଚିତ କରିଛନ୍ତି।

ସୁଭଦ୍ରାର ଠିକଣା ଲେଖାରେ ପ୍ରତିଭା ରାୟ ଦେଖାଇଛନ୍ତି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଧାଡ଼ିରେ ଠିଆ ହୋଇ ମହିଳାମାନେ କିପରି ଅଚେତ ହୋଇ ପଡୁଥିଲେ। ତା ଛଡ଼ା ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିଲେ, ସେଥିରେ ମହିଳାମାନେ କିପରି ସ୍ଵାବଲମ୍ବୀ ହୋଇପାରିବେ ବୋଲି ପ୍ରଥମରୁ ପ୍ରଶ୍ନ ଉଠି ଆସିଛି। ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି- ପ୍ରତିଭା ରାୟଙ୍କ ଲେଖାକୁ ପଢନ୍ତୁ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ଲୋଭ ଦେଖାଇ ବିଜେପି କ୍ଷମତାକୁ ଆସିବା ପରେ ମହିଳାଙ୍କୁ ବିଜେପି ଠକି ଦେଇଛି ବୋଲି ସେ କହିଛନ୍ତି। ଏହାର ଜବାବରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସୁଭଦ୍ରା ଯୋଜନାରେ ମହିଳାମାନେ ବେଶ ଖୁସି। ଏହାକୁ ହଜମ କରିପାରୁ ନାହାନ୍ତି ବିରୋଧୀ।

ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଦିନକୁ ମାତ୍ର ୨୭ ଟଙ୍କା। ଏଥିରେ ମହିଳାମାନେ କିପରି ଉଦ୍ୟୋଗୀ ହେବ ବୋଲି ଆରମ୍ଭରୁ ପ୍ରଶ୍ନ କରିଥିଲେ ବିରୋଧୀ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଓ କିସ୍ତି ପାଇବାକୁ ମହିଳାମାନେ କିପରି ହନ୍ତସନ୍ତ ହୋଇଛନ୍ତି, ତାର ହଜାର ହଜାର ଚିତ୍ର ଚିତ୍ର ଦେଖିଛନ୍ତି ସମସ୍ତେ। ଠିକ୍ ଏତିକି ବେଳେ ମହିଳାଙ୍କ ମର୍ଯ୍ୟାଦା, ସ୍ଵାଭିମାନ ଓ ଅଧିକାର ପାଇଁ ସବୁବେଳେ କଲମ ଚାଳନା କରିଥିବା ପ୍ରତିଭା ରାୟଙ୍କ ଲେଖା ସୁଭଦ୍ରାର ଠିକଣା ଯୋଜନାର ବାସ୍ତବତାକୁ ପଦାରେ ପକାଇଛି।