ଡିଜିଟାଲ ଯୁଗରେ ମୋବାଇଲକୁ ପହଞ୍ଚି ପାରୁନି ନେଟଓ୍ବର୍କ,  5-G ଯୁଗରେ 2-G ଏଠି ସାତ ସପନ

1 min read

ନନ୍ଦିଘୋଷ ବ୍ୟୁରୋ: ଦେଶ ତଥା ରାଜ୍ୟରେ ଏବେ ଚାଲିଛି ଡିଜିଟାଲ ସରକାର l ଗାଁ ଠାରୁ ସହର ସବୁଠାରେ ଡିଜିଟାଲ ଇଣ୍ଡିଆର ନାରା l କିନ୍ତୁ ବାସ୍ତବରେ ଆଜି ପର୍ଯ୍ୟନ୍ତ ଡିଜିଟାଲ ଇଣ୍ଡିଆ କେବଳ ଏକ ଡାଇଲଗରେ ସୀମିତ l ଆଜିବି ଗାଁ ଗହଳିର ଲୋକେ ପାଉନାହାନ୍ତି ମୋବାଇଲ ସେବା l ଯାହାକୁ ନେଇ ଦେଖିବାକୁ ମିଳିଛି ଅସନ୍ତୋଷ ।

ଡିଜିଟାଲ ଯୁଗରେ ମୋବାଇଲକୁ ପହଞ୍ଚି ପାରୁନି ନେଟଓ୍ବର୍କ । 5-G ଯୁଗରେ 2-G ଏଠି ସାତ ସପନ । ଗାଁଠୁ ଦୂରକୁ ଗଲେ ଉଠୁଛି ଟାଓ୍ବାରର ଗୋଟିଏ କଣ୍ଟା । ଜରୁରି ସମୟରେ କଲ୍ କରି ହେଉନଥିବାରୁ ସମସ୍ୟାରେ ରୋଗୀ । ୨୦୨୪ରେ ୧୯୮୦ ମସିହା ଭଳି ଦିନ କାଟୁଛନ୍ତି ଲୋକ । କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ଅଧ୍ୟୁସିତ ବାମ ପଞ୍ଚାୟତବାସୀ ମୋବାଇଲ ସେବାରୁ ବଞ୍ଚିତ ହୋଇଛନ୍ତି ।  ପଞ୍ଚାୟତରେ ୩୦୦୦ ରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ଇଣ୍ଟରନେଟ ଓ ମୋବାଇଲ ସେବା ଏମାନଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି  । ଘର ଭିତରେ ମୋବାଇଲ ନେଟୱାର୍କ ଆସୁନଥିବାରୁ ପାହାଡ଼, ଜଙ୍ଗଲ ଓ ବଡ଼ ଗଛରେ ଚଢି ମୋବାଇଲରେ କଥା ହେଉଛନ୍ତି ଲୋକେ l  ପିଲା ପାଠ ପଢାରେ ବି ସମସ୍ୟା ସୃଷ୍ଟି ହେଉଛି । ବହୁବାର ଅଭିଯୋଗ ସତ୍ବେ ଏଠାରେ ଟାଓ୍ବାର ଟିଏ ସ୍ଥାପନ ହୋଇପାରୁନି ।

ପଞ୍ଚାୟତବାସୀ ମୋବାଇଲ ସେବା ପାଇବା ପାଇଁ ପ୍ରାୟ ୬ ରୁ ୭ କିଲୋମିଟର ଦୂରରେ ଥିବା ଝିଲି ପଞ୍ଚାୟତ ଉପରେ ନିର୍ଭର କରନ୍ତି l ମୋବାଇଲ ସେବା ପାଇବା ପାଇଁ  ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରିନାହିଁ l ଯାହା ଫଳରେ ଆଜିର ଡିଜିଟାଲ ଇଣ୍ଡିଆ ସହ ଏମାନଙ୍କ କୌଣସି ସମ୍ପର୍କ ନଥିବା ମନେ ହୁଏ l

ଆଜିର ସମୟରେ ସମାଜର ପ୍ରତ୍ୟୋକ ବ୍ୟକ୍ତି ପାଇଁ ମୋବାଇଲ ବିଶେଷ ମହତ୍ୱ ରଖୁଥିବା ବେଳେ ଏଥିରୁ ବଞ୍ଚିତ ବାମ ପଞ୍ଚାୟତ   l ଜଙ୍ଗଲ ଓ ପାହାଡ଼ ମଝିରେ ଥିବା ଏହି ଗାଁ ଲୋକେ କିଭଳି ମୋବାଇଲ ସେବା ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯାଇଛି l