ଦିପାବଳୀରେ କର୍ମଚାରୀଙ୍କୁ ୨୮ଟି କାର ୨୯ଟି ବାଇକ ଦେଲା କମ୍ପାନୀ

ଚେନ୍ନାଇ: ଦିପାବଳୀରେ କର୍ମଚାରୀଙ୍କୁ ଉପହାର ଦେବା କଥା ଆସିଲେ ଗୁଜୁରାଟର ସାବଜୀ ଢୋଲକିଆଙ୍କ ନାଁ ସାମନାକୁ ଆସିଥାଏ  । ନିଜ କର୍ମଚାରୀଙ୍କୁ ମହଙ୍ଗା ଗିଫ୍ଟ ଦେଉଥିବା କମ୍ପାନୀ ମଧ୍ୟରେ ଏହା ବେଶ ଲୋକପ୍ରିୟ  । କିନ୍ତୁ ଚେନ୍ନାଇର ଏକ କମ୍ପାନୀ ମାଲିକ ନିଜ କର୍ମଚାରୀଙ୍କୁ ୨୮ କାର ଓ ୨୯ ବାଇକ ଉପହାର ଦେଇଛନ୍ତି  । ଏହି କାର ମଧ୍ୟରେ ଟାଟା, ମାରୁତି ସୁଜୁକି ଓ ମର୍ସିଡିଜ ବେଞ୍ଜ ବି ସାମିଲ ଅଛି  ।

 

ଚେନ୍ନାଇର ଏହି କମ୍ପାନୀର ନାଁ ଟିମ ଡିଟେଲିଂ ସଲ୍ୟୁସନ ଅଟେ  । ଏହି କମ୍ପାନୀ ଷ୍ଟ୍ରକ୍ଚରାଲ ଷ୍ଟିଲ ଡିଜାଇନ ଓ ଡିଟେଲିଂ ସର୍ଭିସ ସହ ଜଡିତ ବ୍ୟବସାୟ କରିଥାଏ  । କର୍ମଚାରୀଙ୍କ କଠୋର ପରିଶ୍ରମ ଓ ସମର୍ପଣ ଭାବକୁ ଦେଖି କମ୍ପାନୀ ମହଙ୍ଗା ଗିଫ୍ଟ ଦେବାକୁ ନିଷ୍ପତ୍ତି ନେଇଛି  । ଏହି କମ୍ପାନୀରେ ପାଖାପାଖି ୧୮୦ କର୍ମଚାରୀ ଅଛନ୍ତି ।

 

କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ କହିବା କଥା ଯେ କମ୍ପାନୀର ସଫଳତା ପଛରେ ତାଙ୍କ କର୍ମଚାରୀଙ୍କ ଅକଥନୀୟ ପ୍ରୟାସ ରହିଛି  । ଆମ କମ୍ପାନୀ ପାଇଁ ଆମ କର୍ମଚାରୀ ସବୁଠୁ ବଡ ସମ୍ପତ୍ତି ଅଟନ୍ତି  ।

ଏହି କମ୍ପାନୀ କେବଳ କାର କି ବାଇକ ନୁହେଁ ବରଂ ବିବାହ ପାଇଁ ଟଙ୍କା ବି ଦେଇଥାନ୍ତି  । ଯଦି କୌଣସି କର୍ମଚାରୀ ବିବାହ କରୁଛନ୍ତି ତେବେ ସହାୟତା ବାବଦରେ କମ୍ପାନୀ ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥାଏ  ।