ନାରୀ ସୁରକ୍ଷା ଦାବିରେ ବିଜେପି ଉପରେ ବର୍ଷିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାର ସମୟରେ ମହିଳାମାନେ ଅସୁରକ୍ଷିତ । ବିଜେପି ମହିଳାଙ୍କୁ ସମ୍ମାନ କଥା କହୁଛି ସିନା ସୁରକ୍ଷା କିନ୍ତୁ ଦେଇପାରୁନି । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ । ଦିଲ୍ଲୀରେ ଓଡ଼ିଆ ଅସ୍ମିତାକୁ ଆଘାତ ଆସିଥିବା ବେଳେ ସରକାର କିନ୍ତୁ ନିଦରେ ଶୋଇଛନ୍ତି । ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା ଚିଲ୍ଲାଉଥିବା ମୋହନ ସରକାର ଓଡ଼ିଆ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ତୁରନ୍ତ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିବା ସହ ନ୍ୟାୟ ଯୋଗାଇ ଦେବାକୁ ବିଜେଡି ଦାବି କରିଛି ।

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ନେଇ ସରଗମର ହୋଇଛି ରାଜ୍ୟ ରାଜନୀତି । ଗତ ଶୁକ୍ରବାର ରାତିରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ସରାଇ କାଲେ ଖାନ ଅଞ୍ଚଳରୁ ଉଦ୍ଧାର ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ । ଓଡ଼ିଆ ଅସ୍ମିତାର ଚିତ୍କାର କରୁଥିବା ବିଜେପି ସରକାର କାହିଁକି ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ନିଦ ଭାଙ୍ଗୁନାହିଁ ? ଗଣମାଧ୍ଯମରେ ପ୍ରସାର ହେଲାପରେ ଗଣଦୁଷ୍କର୍ମର ତିନି ଦିନ ପରେ ମୋହନ ସରକାରଙ୍କ ଯାଇକି ନିଦ ଭାଙ୍ଗୁଛି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ବିଜେପି ସରକାର ସମୟରେ ନାରୀମାନେ ଅସୁରକ୍ଷିତ । ଏତେ ପରେ ବି ବିଜେପିର ଆଚରଣ ଓ ଉଚ୍ଚାରଣରେ କିଛି ପରିବର୍ତ୍ତନ ଆସିନି । ବିଜେପି ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି ବୋଲି ଡିଣ୍ଡିମ ପିଟୁଛି । ହେଲେ କେମିତି ସମ୍ମାନ ଓ ସୁରକ୍ଷା ଦିଏ ତାହା ଦିଲ୍ଲୀ ଘଟଣାରୁ ସ୍ପଷ୍ଟ ବୋଲି କଟାକ୍ଷ କରିଛନ୍ତି ସାଂସଦ ସୁଲତା ଦେଓ । ଓଡ଼ିଶାର ଭରତପୁର ଥାନା ଘଟଣା ସାରା ଦେଶ ଦେଖିଲା । ବିଜେପି ଗୋଟେ କଥା କୁହେ, କାମ ଆଉ ଗୋଟେ କରେ । ଓଡ଼ିଶାର ମହିଳାଙ୍କ ସହ ଦୁଷ୍କର୍ମ ପରେ କାହିଁକି ଚୁପ ରହିଲେ ଆବାସିକ କମିଶନର ବୋଲି ପ୍ରଶ୍ନ କରିଛି ବିଜେଡି । ଦିଲ୍ଲୀରେ ଗଣଦୁଷ୍କର୍ମର ଶୀକାର ଯୁବତୀ ଜୀବନ ମୃତ୍ୟୁସହ ସଂଗ୍ରାମ କରୁଥିବା ବେଳେ  ମୋହନ ସରକାର କିନ୍ତୁ ପୂଜା ମଣ୍ଡପ ବୁଲି ଆନନ୍ଦ ନେଉଛନ୍ତି ।

ଅନ୍ୟପଟେ ସମାନ ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ଯ ଉପରେ ବର୍ଷିଛି କଂଗ୍ରେସ । ଦିଲ୍ଲୀ ରାଜରାସ୍ତାରେ ଓଡିଆ ଅସ୍ମିତା ଦରମରା । କିନ୍ତୁ ବିଜେପି ନେତା ଚୁପ ବସିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ବିଜେପି ସରକାର ସମୟରେ ମହିଳାମାନେ ସବୁବେଳେ ଅସୁରକ୍ଷିତ । ଯେଉଁ ବଡ଼ ବଡ଼ ନେତା ଓଡ଼ିଶା ଆସି ଓଡ଼ିଶା ଅସ୍ମିତା କଥା କହୁଥିଲେ ତାହା ଆଜି ଫମ୍ପା ଆୱାଜ ପାଲଟିଛି । ତୁରନ୍ତ ପୀଡିତାଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛି ଦଳ । ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ଯ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମଣିପୁରରୁ ଓଡିଶା ମହିଳା ସବୁଠି ଅସୁରକ୍ଷିତ । ନ୍ୟାୟ ମାଗିଲେ ବି ମିଳୁନି । ବିଜେପି ସରକାର କିନ୍ତୁ ନିଦରେ ଶୋଇଛି । ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ଜୟଦେବ । ସେହିପରି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ମଧ୍ୟ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ଦିଲ୍ଲୀ ଗଣଦୁଷ୍କର୍ମ ନେଇ ସରକାରଙ୍କ ବିଳମ୍ବରେ ନିଦ ଭାଙ୍ଗିବା ନେଇ ବର୍ଷିଛନ୍ତି ।

ଦିଲ୍ଲୀରେ ନ୍ୟାୟ ପାଇନାହିଁ ଓଡ଼ିଶା ଝିଅ । ଯାହାକୁ ନେଇ ବିଜେଡି ସରକାରଙ୍କୁ ଚେତାଇବା ସହ ପୀଡ଼ିତାଙ୍କୁ ସବୁ ପ୍ରକାର ସହାୟତା ଦେବାକୁ ଦାବି କରିଛି । ଅନ୍ୟପଟେ ଦୁଷ୍କର୍ମ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବା ସହ ବିଜେପିର ଓଡ଼ିଆ ଅସ୍ମିତା ନେଇ ଫାଙ୍କା ଆୱାଜକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।