ଦଳିତ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମରା ଘଟଣା: ଶ୍ରମମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସରକାରୀ ବାସଭବନ ସମ୍ମୁଖରେ ଯୁବ କଂଗ୍ରେସର ବିକ୍ଷୋଭ । ଢେଙ୍କାନାଳରେ ଦଳିତ ବର୍ଗର ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମାରିବାକୁ ବିରୋଧ କରି ଗର୍ଜିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଦେଇଛନ୍ତି ସ୍ଲୋଗାନ ।

ପ୍ରଦେଶ ଯୁବ କଂଗ୍ରେସର ବହୁ ନେତା ଓ କାର୍ଯ୍ୟକର୍ତ୍ତା ଫରେଷ୍ଟ ପାର୍କ ଟ୍ରାଫିକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକଙ୍କ ଉପରେ ଆକ୍ରମଣରେ ରାଜନୈତିକ ସମ୍ପୃକ୍ତି ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶ୍ରମ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ୭ ଦିନ ମଧ୍ୟରେ ନିର୍ଯାତିତ ଶ୍ରମିକଙ୍କୁ ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଯବୁ କଂଗ୍ରେସ ।