ଓଡ଼ିଆ ଯୁବତୀଙ୍କ ଗଣଦୁଷ୍କର୍ମ ଘଟଣା: ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଓଡ଼ିଶା ଡିଜିପି

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଓଡିଶା ଡିଜିପି ୱାଇ.ବି. ଖୁରାନିଆ । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି । ତଦନ୍ତ ବେଳେ ପୀଡିତା ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି । ସେ ମୁର୍ମୁଷୁ ଅବସ୍ଥାରେ ହସ୍ପିଟାଲରେ ଆଡ଼ମିଟ ହୋଇଥିବାରୁ ପୋଲିସ କୌଣସି ସୁରାକ ତାଙ୍କ ଠାରୁ ପାଇପାରିନାହିଁ । ଗତ ୧ ମାସ ହେଲା ପୀଡିତାଙ୍କ ମୋବାଇଲ ହଜିଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ଏକ ଏଟିଏମ ନିକଟରେ ପୀଡିତା ଶୋଇଥିବା ଜାଣିବାକୁ ପାଇଛି ଦିଲ୍ଲୀ ପୋଲିସ । ଏ ନେଇ ଓଡିଶା ପୋଲିସକୁ ମଧ୍ୟ ଅବଗତ କରିଛି ଦିଲ୍ଲୀ ପୋଲିସ ।

ଘଟଣାର ୩ ଦିନ ପରେ ତତ୍ପର ହୋଇଛି ଓଡିଶା ପୋଲିସ । ଘଟଣାକୁ ଗୁରୁତର ସହିତ ନିଆଯାଇଛି ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି ଯେ ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି । ବାକି ସବୁ ବ୍ୟବସ୍ଥା କରାଯାଉଥିବା ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି ।

ଶୁକ୍ରବାର ରାତିରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବାର ଅଭିଯୋଗ ହୋଇଥିଲା । ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ହେଲେ ପ୍ରଥମରୁ ଯେତେ ତତ୍ପରତା ପ୍ରକାଶ ପାଇଥିବାର ଥିଲା ସରକାରଙ୍କ ତରଫରୁ ସେତିକି ତତ୍ପରତା ଦେଖିବାକୁ ମିଳି ନଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଏହା ପରେ ରାଜ୍ୟ ସରକାର ଚେତିଥିବା ପରି ମନେ ହେଉଛି ।