ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସଲମନଙ୍କ ସୁରକ୍ଷା ବଢ଼ିଲା

ମୁମ୍ବାଇ: ମୁମ୍ଵାଇର ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି । ସଲମାନ ଖାନ ହେଉଛନ୍ତି ବାବା ସିଦ୍ଦିକୀଙ୍କ ଘନିଷ୍ଠ ବନ୍ଧୁ।

ସିଦ୍ଦିକୀଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କାରିଛି । ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ପୋଷ୍ଟ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଭାଇରାଲ ହେଉଛି । ଏହି ପୋଷ୍ଟରେ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଲେଖାଯାଇଛି, ଆମେ ସଲମନ ଖାନଙ୍କ ସହ କୌଣସି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ବାବାଙ୍କ ହତ୍ୟାର କାରଣ ତାଙ୍କର ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ସମ୍ପର୍କ ଥିଲା ।

ଆଗକୁ ଏଥିରେ ଉଲ୍ଲେଖ ରହିଛି, ଜୀବନର ମୂଲ୍ୟ ବୁଝୁଛି, ଶାରୀର ଓ ଧନକୁ ମୁଁ ଧୂଳି ଭାବୁଛି । କ’ଣ ତାହା ସତକର୍ମ ଥିଲା, ଯାହା ପାଳନ କଲ ବନ୍ଧୁତ୍ବର ଧର୍ମ ଥିଲା ।’

ଏଥିରେ କୁହାଯାଇଛି, ସଲମାନ ଖାନ, ଆମେ ଏହି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ତୁମେ ଆମ ଭାଇଙ୍କ କ୍ଷତି ପହଞ୍ଚାଇଲ । ଆଜି ବାବା ସିଦ୍ଦିକୀଙ୍କୁ ନେଇ ସାଧୁତାର ପୋଲ ବନ୍ଧା ଯାଉଛି । ସେ ଅତୀତରେ ଦାଉଦ ସହ ମକୋକା ଆକ୍ଟରେ ଥିଲା । ସିଦ୍ଦିକୀଙ୍କ ମାରିବାର କାରଣ ଅନୁଜ ଥାପନ ଏବଂ ଦାଉଦକୁ ବଲିଉଡ଼, ରାଜନୀତି, ପ୍ରପର୍ଟି ଡିଲିଂରେ ଜୋଡ଼ିବା ଥିଲା ।

ଗ୍ୟାଙ୍ଗ ତରଫରୁ ପୋଷ୍ଟରେ ଆହୁରି ଉଲ୍ଲେଖ କରାଯାଇଛି, ‘ଆମର କାହା ସହ କୌଣସି ଶତ୍ରୁତା ନାହିଁ । ହେଲେ ଯିଏ ବି ସଲମାନ ଖାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରିବ, ନିଜ ହିସାବ କରି ରଖିଥାଅ । ଆମ ଭାଇକୁ କେହି ବି ହତ୍ୟା କରିବ ତ ଆମେ ପ୍ରତିକ୍ରିୟା ନିଶ୍ଚିତ ଦେବୁ ।’ ଏହାପରେ ପୋଷ୍ଟର ତଳକୁ ଜୟ ଶ୍ରୀରାମ, ଜୟ ଭାରତ, ସଲାମ ସହିଦାନୁ… ଉଲ୍ଲେଖ କରାଯାଇଛି ।

ଲରେନ୍ସ ଗ୍ୟାଙ୍ଗର ଏମିତି ଧମକ ପରେ ସଲମାନଙ୍କ ପ୍ରତି ମଧ୍ୟ ବିପଦ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆଗରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ଧମକ ଦେଇଥିଲା । ତାଙ୍କ ବାପା ସଲିମ ଖାନଙ୍କୁ ମଧ୍ୟ ଧମକ ଦେଇଥିଲେ । ଏପରିକି ତାଙ୍କ ଘର ସାମ୍ନାରେ ଫାଙ୍କା ଗୁଳି ଚାଳନା କରିଥିଲେ କିଛି ଦୁର୍ବୃତ୍ତ । ତେଣୁ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି ।