ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାର ନିଆରା ପରମ୍ପରା

ପୁରୀ : ପୁରୀରେ ଦୁର୍ଗାପୂଜା ପରମ୍ପରା ଅତ୍ଯନ୍ତ ନିଆରା । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳା ହୋଇଥିବା ବେଳେ ଏଠାରେ ସ୍ୱତନ୍ତ୍ର ପୂଜା ସହ ଦୁର୍ଗାମାଧବ ଉପାସନାର ପରମ୍ପରା ଦେଖିବାକୁ ମିଳିଥାଏ । ସେହିପରି ସହରର ବିଭିନ୍ନ ସାହି, ଜାଗା, ଆଖଡା ମାନଙ୍କରେ ମାଆଙ୍କୁ ଆବାହନ କରାଯାଇ ଭିନ୍ନ ଭିନ୍ନ ଗୋଷାଣୀ ରୂପରେ ପୂଜା କରାଯାଇ ଥାଏ । ବେଶଭୂଷା ଓ ପୂଜାବିଧି ପ୍ରତି ବର୍ଷ ସମାନ ଢଙ୍ଗରେ ପ୍ରତିବର୍ଷ ପୂଜା ପାଇଥାନ୍ତି ବିଶାଳକାୟ ମୂର୍ତ୍ତି । ମାଆଙ୍କୁ ଗୋଷାଣୀ ରୂପରେ ପୂଜନ ଶାକ୍ତ ପୂଜା ବିଧିର ଅଧିନ ହୋଇଥିବା ବେଳେ ଦର୍ଶନ ପାଇଁ ପ୍ରତିଦିନ ଜମେ ପ୍ରବଳ ଭିଡ଼ । ପୂଜା ଛୁଟି ଥିବା ହେତୁ ଏବେ ପୁରୀରେ ବହୁ ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

ଏଠାରେ ଅନେକ ବଙ୍ଗୀୟ ଭାଷାଭାଷୀ ଲୋକ ବସବାସ କରୁଥିବାରୁ ବିଭିନ୍ନ ସ୍ଥାନରେ ବଙ୍ଗୀୟ ଶୈଳୀରେ ପୂଜାର୍ଚ୍ଚନା ଦେଖିବାକୁ ମିଳିଥାଏ । ମହନବମୀ ଅବସରରେ ବଙ୍ଗୀୟ ପରମ୍ପରା ଅନୁସାରେ କୁମାରୀ ପୂଜା ଅନୁଷ୍ଠିତ ହୋଇଛି । ଦୁର୍ଗାବାଡି ଠାରେ ବହୁ ବଙ୍ଗୀୟ ଭକ୍ତ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି । ପର୍ଯ୍ଯଟକମାନେ ଶ୍ରୀକ୍ଷେତ୍ରର ଏହି ପରମ୍ପରାରେ ସାମଲ ହୋଇ ନିଜକୁ ଧନ୍ଯ ମନେ କରିଛନ୍ତି । ଶ୍ରୀକ୍ଷେତ୍ରରେ ଏହି ସମୟରେ ଘରେ ଘରେ ପୂଜା ପାଠ ସହ ବୀରତ୍ବର ନିଦର୍ଶନ ନାଗା ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ ।