ଲୋପ ପାଇବାକୁ ବସିଲାଣି ମୃଦଙ୍ଗ ବାଜା

ଭୁବନେଶ୍ବର :  ଓଡ଼ିଶାର କଳା ସଂସ୍କୃତିରେ ମୃଦଙ୍ଗ ବାଜାର ଚାହିଦା ବେଶ ଅଧିକ । ପ୍ରତ୍ଯେକ କାର୍ଯ୍ଯରେ ମୃଦଙ୍ଗ ବାଜାର ଆବଶ୍ଯକତା ରହିଛି । ଆଧୁନିକତା ସ୍ପର୍ଶରେ ଏବେ ଲୋପ ପାଇବାକୁ ବସିଲାଣି ମୃଦଙ୍ଗ ବାଜା । ଏହାରି ଭିତରେ ମୃଦଙ୍ଗ ବାଜା ତିଆରି କରି କଳାକୁ ଉଜୀବିତ କରି ରଖିଛନ୍ତି ଭୁବନ ବ୍ଲକ ଗଡ ନୃସିହଁପ୍ରସାଦ ପଞ୍ଚାୟତ ମୁରୁଗା ଗାଁର ରବି ନାଏକ । ବାଜା କାରିଗର ଭାବେ ଢେଙ୍କାନାଳ ଜିଲ୍ଲାରେ ସେ ବେଶ ପରିଚିତ ହୋଇପାରିଛନ୍ତି । ପିଲାଟି ଦିନରୁ ବାପାଙ୍କ ଠାରୁ ଶିକ୍ଷା କରିଥିବା ବୃତ୍ତିକୁ ନେଇ ଏବେ ପରିବାର ପ୍ରତିପୋଷଣ କରୁଛନ୍ତି ରବି । ତାଙ୍କ ହାତ ତିଆରି ମୃଦଙ୍ଗରେ ଯାଦୁକାରୀ ଶବ୍ଦ ବାହାରୁ ଥିବାରୁ କେହିକେହି ତାଙ୍କୁ ମୃଦଙ୍ଗ ଯାଦୁକର ବୋଲି କହିଥାନ୍ତି । ମୃଦଙ୍ଗ ସହିତ ଡୁବି ତବଲା, ଢୋଲ ଭଳି ବିଭିନ୍ନ ବାଦ୍ୟ ମଧ୍ଯ ତିଆରି କରୁଛନ୍ତି । ବର୍ତ୍ତମାନ ମୃଦଙ୍ଗ ତିଆରି କରିବା ପାଇଁ ଆବଶ୍ଯକୀୟ ପଦାର୍ଥ ମିଳୁନଥିବାରୁ ରବିଙ୍କ ଛୋଟ କାରଖାନାଟି ବନ୍ଦ ହେବାକୁ ବସିଲାଣି ।

ରବି ତିଆରି କରୁଥିବା ମୃଦଙ୍ଗ ପାଇଁ ମୁରୁଗା ଗାଁ ରାଜ୍ଯ ବାହାରେ ବେଶ ପରିଚିତ ହୋଇପାରିଛି । ବର୍ତ୍ତମାନ ଚମଡାରେ ନିର୍ମିତ ବିଭିନ୍ନ ବାଜା ବୁଡିଯାଉଥିବା ବେଳେ ରବି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ଯୋଗୁଁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ତେବେ ସହାୟତା ମିଳିଲେ ମୂତନ ପିଢିର ପିଲା ମାନଙ୍କୁ ମୃଦଙ୍ଗ ଓ ଅନ୍ଯ ବାଜା ତିଆରି ନିମନ୍ତେ ଶିକ୍ଷା ଦିଆଯାଇ ପାରନ୍ତା ବୋଲି କଳା ପ୍ରେମୀ ମତ ଦେଇଛନ୍ତି।

ଦିନକୁ ଦିନ କମିବାରେ ଲାଗିଛି ଚମଡାରେ ନିର୍ମିତ ବାଜା । ଲୋକେ ଆଦରି ନେଉଛନ୍ତି ପ୍ଲାଷ୍ଟିକ ବାଜା । ତେଣୁ ଯେଉଁ କାରିଗର ମାନେ ଏହି କଳାକୁ ବଞ୍ଚାଇ ରଖିଛନ୍ତି ସେମାନଙ୍କୁ ଚିହ୍ନଟ କରି ସରକାରୀ ସ୍ତରରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବାର ଆବଶ୍ଯକତା ରହିଛି ।