ବଢୁଛି ନବୀନଙ୍କ କ୍ରେଜ୍: ନିର୍ବାଚନର ୪ ମାସ ପରେ ଲୋକେ ବିଜେଡି ମୁହାଁ

ଭୁବନେଶ୍ବର: ନିର୍ବାଚନର ୪ ମାସ ପରେ ଲୋକେ ବିଜେଡି ମୁହାଁ । ନବୀନଙ୍କ କ୍ରେଜ ରାଜ୍ୟରେ ବଢୁଥିବାବେଳେ ଏହାର ପ୍ରଭାବ ପଡ଼ୁଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନରେ । ବିଜେଡିର ସଦସ୍ଯ ହେବାକୁ ଲୋକଙ୍କ ମଧ୍ଯରେ ଆଗ୍ରହ ବଢିବାରେ ଲାଗିଛି । ମହିଳା ଓ ଯୁବପିଢିମାନେ ବିଜେଡି ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଜନତାଙ୍କଠାରୁ ଆରମ୍ଭ କରି ନେତାମାନଙ୍କ ପର୍ଯ୍ଯନ୍ତ ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ବିଜେଡିକୁ ପୁଣି କ୍ଷମତାକୁ ଫେରାଇ ଆଣିବା । ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରୁ ଏହି ଅଭିଯାନ ଆରମ୍ଭ ହେବାକୁ ଲକ୍ଷ୍ଯ ରଖିଛନ୍ତି ଦଳୀୟ ନେତା ଓ କର୍ମୀ ।

ସଫଳ ହେଉଛି ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ । ନବୀନଙ୍କ କ୍ରେଜ ହେଉଛି ସହାୟକ । ସହଜ ହେବ ୧ କୋଟି ସଦସ୍ୟ ଲକ୍ଷ୍ୟ । ୨୦୨୪ ନିର୍ବାଚନର ୪ ମାସ ପରେ ବଦଳିଯାଇଛି ଓଡ଼ିଶାବାସୀଙ୍କ ମୁଡ୍ । ବିଜେଡି ଓ ନବୀନଙ୍କ ପ୍ରତି ବଢୁଛି ବିଶ୍ବାସ ଓ ଭରସା । ରାଜ୍ଯରେ ବିଜେଡି ଏକ ନମ୍ବର ଦଳ ହେବା ସହ ପ୍ରଥମ କରି ସଶକ୍ତ ବିରୋଧୀ ଦଳ ଭାବେ ଜନସେବା ଜାରି ରଖିଛି । ଏହାଛଡ଼ା ସାଂଗଠନିକ କାର୍ଯ୍ଯକ୍ରମକୁ ପୂରା ଦମରେ ଆୟୋଜିତ କରୁଛି । ଏଥର ଏକ କୋଟି ସଦସ୍ଯ ଟାର୍ଗେଟରେ ଆରମ୍ଭ ହୋଇଥିବା ସଦସ୍ଯ ସଂଗ୍ରହ ଅଭିଯାନକୁ ନେଇ ସବୁଠି ଉତ୍ସାହ ଦେଖାଦେଇଛି । ବିଜେଡି ସଦସ୍ୟ ହେବାକୁ ଲୋକଙ୍କ ଭିତରେ କ୍ରେଜ ବଢିବାରେ ଲାଗିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ନେତା ଓ କର୍ମୀ ଏକାଠି ହୋଇ ଦଳକୁ ପୁଣି ବଡ଼ ସଫଳତା ଦେବେ ବୋଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ।

୨୦୨୪ ନିର୍ବାଚନରେ ବିଜେଡି ପାଇଥିଲା ୧ କୋଟି ୧ ଲକ୍ଷ ୨ ହଜାର ୪୪୫ ଖଣ୍ଡ ଭୋଟ । ଭୋଟ ହାର ଥିଲା ୪୦.୨୨ ପ୍ରତିଶତ । ସେହିପରି ଶାସକ ବିଜେପି ୪୦.୭ ପ୍ରତିଶତ ଅର୍ଥାତ ୧ କୋଟି ୬୪ ହଜାର ୮୨୭ଟି ଭୋଟ ପାଇଥିଲା । ତେବେ ଶାସନ ମଙ୍ଗ ଧରିବା ପରଠୁ ବିଜେପି ଲୋକଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି । ଭତ୍ତାଠୁ ଆରମ୍ଭ କରି ସୁଭଦ୍ରା ପର୍ଯ୍ଯନ୍ତ ସବୁ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ୩୦୦ ୟୁନିଟ ମାଗଣା ବିଜୁଳି ଧୂଆଁବାଣ ପାଲଟିଛି । ତେବେ ଏହାରି ଭିତରେ ନବୀନଙ୍କ ଲୋକପ୍ରିୟତା ଆଗ ଅପେକ୍ଷା ଆହୁରି ବଢିଯାଇଛି । ସମସ୍ତଙ୍କ ହୃଦୟରେ ଆଜି ବି ନବୀନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।

ବିଜେଡିର ଟାର୍ଗେଟକୁ ଦେଖି ଶାସକ ବିଜେପି ମଧ୍ୟ ୧ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ନାଁ ନନେଇ ବିଜେପିର ମିସଡ କଲ ଅଭିଯାନକୁ ନବୀନ ମଧ୍ଯ ସମାଲୋଚନା କରିଥିଲେ । ଏବେ ବିଜେଡିର ସଦସ୍ଯତା ସଫଳତା ଦେଖି ଉଭୟ ବିଜେପି ଓ କଂଗ୍ରେସ ଚିନ୍ତାରେ ପଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।