ପୁଣି ଆନ୍ଧ୍ର ନଜରରେ କୋଟିଆ: ସାମ୍ନାକୁ ଆସିଲା ଜଙ୍ଗଲ ଜମି ପଟ୍ଟା ବଣ୍ଟନ ପ୍ଲାନ୍

ଭୁବନେଶ୍ବର: କୋଟିଆକୁ ହାତେଇବା ପାଇଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ଚାଲ ଚଳାଇଛି । ଏବେ ଆଦିବାସୀ ସଙ୍ଗଠନକୁ ଲଗାଇ କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ଚକ୍ରାନ୍ତ କରାଯାଇଛି । ଯାହାକୁ ନେଇ ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଜନ ସଂଗଠନ ରାଜ୍ୟ ସରକାରଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି । ଆନ୍ଧ୍ର ଏଭଳି କରିବା ପୂର୍ବରୁ ଓଡିଶା ସରକାର ତୁରନ୍ତ କଡା ପଦକ୍ଷେପ ନେବା ସହ କେନ୍ଦ୍ର ଏ ପ୍ରସଙ୍ଗରେ ହସ୍ତକ୍ଷେପ କରୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ । ସେପଟେ କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡ଼ିଶାର କୋଟିଆକୁ ଆନ୍ଧ୍ର ହାତକୁ ବିଜେପି ଟେକି ଦେଉଛି ବୋଲି ସନ୍ଦେହ ସୃଷ୍ଟି ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ ।

କେବେ ଯୋଜନା ଲଲିପପ, କେବେ ଭୋଟ ତ ପୁଣି କେବେ ନିର୍ମାଣ । ଏପରି କରି କୋଟିଆ ଅକ୍ତିଆର ପାଇଁ ଆନ୍ଧ୍ର ରୀତିମତ ଚଳାଇଛି ଷଡଯନ୍ତ୍ର । ଏଥର ସାମ୍ନାକୁ ଆସିଛି କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ପ୍ଲାନ । ଆନ୍ଧ୍ରର ଆଦିବାସୀ ସଂଗଠନ କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ଆନ୍ଧ୍ର ସରକାରଙ୍କ ନିକଟରେ ଦାବି କରିବାକୁ ନେଇ ଓଡ଼ିଶାରେ ଝଡ଼ ଉଠିଛି । ଏହି ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଉତ୍କଳ ସମ୍ମିଳନୀ ।

ଆନ୍ଧ୍ର ସରକାର କୋଟିଆର କିଛି ଲୋକଙ୍କୁ ଧରି କୋଟିଆ ଦଖଲ ପାଇଁ ଉଦ୍ୟମ କରୁଥିବାରୁ କୋଟିଆର ଆଦିବାସୀମାନଙ୍କୁ ଓଡିଶା ସରକାର ତୁରନ୍ତ ଜଙ୍ଗଲ ଜମି ପଟ୍ଟା ଦିଅନ୍ତୁ ବୋଲି ଦାବି ହୋଇଛି । ଆନ୍ଧ୍ରରେ ଏବେ ଏନଡିଏ ସରକାର ଚାଲିଛି । ଆନ୍ଧ୍ର ଏଭଳି କାହିଁକି କରୁଛି କେନ୍ଦ୍ର ସରକାର ପଚାରନ୍ତୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ । କୋଟିଆ ଦଖଲରେ ଆନ୍ଧ୍ର ସଫଳ ହେଲେ ଓଡ଼ିଆ ଜାତି ଓ ଅସ୍ମିତା ଉପରେ ବିରାଟ ଆଘାତ ହେବ । ଭାଷାର ସୁରକ୍ଷା ସହ ସୀମା ସୁରକ୍ଷା ପାଇଁ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ । ଏ ପ୍ରସଙ୍ଗରେ ଆସନ୍ତା ୨୨ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଉତ୍କଳ ସମ୍ମିଳନୀର ପ୍ରତିନିଧି ଦଳ । ସମସ୍ତ ଦଳର ବିଧାୟକ ଓ ସାଂସଦଙ୍କୁ ନେଇ ଏ ବିଷୟରେ ଏକ ସେମିନାର କରିବାକୁ ଯୋଜନା ହେଉଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି ।

କୋଟିଆ ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ବଡ଼ ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ । କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡ଼ିଶାର କୋଟିଆକୁ ଆନ୍ଧ୍ର ହାତକୁ ବିଜେପି ଟେକି ଦେଉଛି ବୋଲି ସନ୍ଦେହ ଉପୁଜୁଥିବା କହିଛି ମଞ୍ଚ । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଅର୍ଥ ଅଜାଡି ଦେଉଛି । ସେପଟେ ଆନ୍ଧ୍ରର କୋଟିଆ ଦଖଲ ପ୍ରସଙ୍ଗରେ ମଧ୍ୟ ଓଡ଼ିଶାର ବିଜେପି ସରକାର ଚୁପ । ଓଡ଼ିଶାର ଡବଲ ଇଞ୍ଜିନ ସରକାର ଡବଲ ବିକାଶର କଥା କହୁଥିବା ବେଳେ ଏସବୁ ଡବଲ ବିନାଶର ସଂକେତ ବୋଲି କହିଛି ମଞ୍ଚ । ସେପଟେ କୋଟିଆ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସରକାର ଯେଭଳି ପଦକ୍ଷେପ ନେବା କଥା ତାହା ନେଉନାହାନ୍ତି । ଚାରିମାସ ଧରି ନୂଆ ସରକାର ଶାସନକୁ ଆସିଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ପୂର୍ବ ସରକାରରେ କୋଟିଆର ବହୁ ଉନ୍ନତି ହୋଇଛି । କିନ୍ତୁ ଏବେର ସରକାର ଏହା ଉପରେ ଦୃଢ଼ ପଦକ୍ଷେପ ନେବାର ସମୟ ଆସିଛି ବୋଲି କହିଛି ଓଡିଶା ବିକାଶ ପରିଷଦ ।

କୋଟିଆ ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଆନ୍ଧ୍ର ଅଧିକ ସୁବିଧା ଦେଉଛି । ତେଣୁ ବର୍ତ୍ତମାନ ସରକାର କୋଟିଆବାସୀଙ୍କୁ ସ୍ୱତନ୍ତ୍ର ସୁବିଧା ଦିଅନ୍ତୁ । କୋଟିଆର ସୁରକ୍ଷା ପାଇଁ ନୂଆ କୌଶଳ ଆପଣାଇବାକୁ ପଡିବ । ତୁରନ୍ତ ଏକ କୋଟିଆ ଉତ୍ସବ ପାଳନ କରାଯାଉ, ପର୍ଯ୍ୟାପ୍ତ ସ୍କୁଲ କରାଯାଉ । କୋଟିଆରେ ସ୍ୱତନ୍ତ୍ର ଥାନା ଓ ଫୋର୍ସ ଅଛନ୍ତି । ଗୁଇନ୍ଦା ଅଧିକାରୀମାନେ ଆନ୍ଧ୍ରର ଅନୁପ୍ରବେଶ ସମ୍ପର୍କରେ ଆଗୁଆ ସୂଚନା ଦେଇ ଫୋର୍ସ ସେମାନଙ୍କୁ ଅଟକାଇବା ଦରକାର ବୋଲି ଦାବି ରଖିଛି ଉତ୍କଳ ସମ୍ମିଳନୀ । ଏଥିସହିତ ରାଜ୍ୟ ସରକାର ତୁରନ୍ତ ସୀମାନ୍ତ ସୁରକ୍ଷା ସେଲ ଗଢ଼ନ୍ତୁ ବୋଲି ଦାବି ହୋଇଛି ।