ରାଜଧାନୀରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମୃତ ଯୁବକ ଜଣଙ୍କ ହେଲେ ମନୋଜ କୁମାର ଗୌଡ଼ । ତାଙ୍କ ଘର ତପୋବନ ବସ୍ତିରେ । ମିସ୍ତ୍ରୀ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ମନୋଜ । ଭରତପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ତପୋବନ ଜଙ୍ଗଲରୁ ମିଳିଛି ତାଙ୍କ ମୃତଦେହ । ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଛି ।

ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । କିନ୍ତୁ ବିଦ୍ୟୁତ ତାରକୁ ଧରିଥିବା ଅବସ୍ଥାରେ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଜଙ୍ଗଲ ଭିତରେ କିନ୍ନରମାନେ ରାତି ବେଳା ଚଳ ପ୍ରଚଳ କରୁଥିବାରୁ କେହି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଥିବା ସନ୍ଦେହ କରାଯାଉଛି । ମନୋଜଙ୍କ ମୃତ୍ୟୁ ଖବର ପାଇ ଶହ ଶହ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଢ ହୋଇଛନ୍ତି । ଭରତପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।