ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ପୋଲିସକୁ ମରଣାନ୍ତକ ଆକ୍ରମଣ

ଯାଜପୁର: ନାବାଳିକାକୁ ଉଦ୍ଧାର କରିବାକୁ ଯାଜପୁର ଯାଇ ଡେଲାଙ୍ଗ ପୋଲିସ ହଟହଟା । ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହେଲା ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଡ଼ଚଣାରେ ଉଦ୍ଧାର କରିବାକୁ ଯାଇ ଲୋକଙ୍କ ଆକ୍ରମଣର ଶୀକାର ହୋଇଛି ପୋଲିସ । ଘଟଣାରେ ୭ ପୋଲିସ କର୍ମୀ ଆହତ । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ କରାଯାଇଛି ସ୍ଥାନାନ୍ତର ।

ଅଭିଯୋଗ ଅନୁସାରେ, ଗତ ୫ ତାରିଖରେ ଡେଲାଙ୍ଗ ସଡାଗୋଁଇ ଅଞ୍ଚଳର ଜଣେ ନାବାଳିକାକୁ ପିପିଲି ମଠ ସାହି ନିକଟରୁ ଅପହରଣ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଝିଅକୁ ପିପିଲି ପାଣି ଦୋଳ ଅଞ୍ଚଳର ଜଣେ ଯୁବକ ମନୋଜ ସାମଲ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା । ଝିଅକୁ ଛାଡ଼ିବାକୁ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ । ଏ ନେଇ ନାବାଳିକା ପରିବାର ଲୋକଙ୍କୁ ଫୋନ ଯୋଗେ କାନ୍ଦି କାନ୍ଦି କହିଥିଲେ । ଯୁବକ ଜଣକ ନାବାଳିକାଙ୍କୁ ବିବାହ କରିଥିଲେ । ପରିବାରର ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ପୋଲିସ ଅକ୍ଟୋବର ୯ ତାରିଖରେ ଯାଜପୁର ବଡ଼ଚଣାକୁ ନାବାଳିକାକୁ ଉଦ୍ଧାର କରିବାକୁ ବଡ଼ଚଣା ପୋଲିସ ସହାୟତାରେ ଯାଇଥିଲା ।

ସେଠାରେ ଉଭୟ ଡେଲାଙ୍ଗ ଓ ବଡ଼ଚଣା ପୋଲିସ ଆକ୍ରମଣର ଶୀକାର ହୋଇଥିବା ସୂଚନା ମିଳିଛି । ନାବାଳିକାକୁ ଉଦ୍ଧାର କରିବାକୁ ଯୁବକଙ୍କ ଘରକୁ ଯାଇଥିବା ସମୟରେ ଯୁବକ ଓ ତାଙ୍କ ପରିବାର ଲୋକ ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଡେଲାଙ୍ଗ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୋଲିସ ଓ ବଡ଼ଚଣା ଥାନାର ଜଣେ ମହିଳା ଏସଆଇ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଡେଲାଙ୍ଗ ଆଇଆଇଓିଙ୍କ ସହ ଜଣେ ହୋମଗାର୍ଡଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକରୁ ସେମାନଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଯୁବକ ମନୋଜ ସାମଲ ଓ ତାଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବଡ଼ଚଣା ଥାନା ଅଧିକାରୀ କହିଛନ୍ତି ।