ପୂଜା ମଣ୍ଡପରେ ନବୀନଙ୍କ ସହ ସୁରଙ୍କ ଭେଟଘାଟ, ଜଣାଇଲେ ଅଭିନନ୍ଦନ

1 min read

ଭୁବନେଶ୍ବର: ଆଜି ରାଜଧାନୀର ବିଭିନ୍ନ ନୂଜା ମଣ୍ଡପ ବୁଲିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ପୂଜା ଶୁଭେଚ୍ଛା ଜଣାଇଥିଲେ । ରସୁଲଗଡ଼ ଓ ସହିଦ ନଗର ପୂଜା କମିଟିରେ ନବୀନଙ୍କ ସହ ସୁରଙ୍କ ଦେଖା ହୋଇଥିଲା ।

ଏହି ଅବସରରେ ସୁର କହିଛନ୍ତି, ଆଗ ଅପେକ୍ଷା ନବୀନ ପଟ୍ଟନାୟକ କ୍ରେଜ୍ ବହୁତ ବଢ଼ି ଯାଇଛି । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା ବେଳେ ନବୀନଙ୍କୁ ଦେଖିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି l ରସୁଲଗଡ ଓ ସହିଦ ନଗର ପୂଜା କମିଟିରେ ନବୀନ ପଟ୍ଟନାୟକଙ୍କ ସହ ଦେଖା ହେବା ପରେ ଏଭଳି କହିଛନ୍ତି ସୁର । ଫୁଲତୋଡ଼ା ଦେଇ ନବୀନଙ୍କ ପୂଜା ଅଭିନନ୍ଦନ ଜଣାଇଥିଲେ ସୁର । ରାଜ୍ୟର ଉନ୍ନତି ପାଇଁ ମାଆଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ସୁର ରାଉତରାୟ ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଗା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ରସୁଲଗଡ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ।

ଏହାପରେ ୧୧ଟା ୩ ମିନିଟରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇ ଯାଇଥିଲେ ସାଧାରଣ ଜନତା । ପରେ ୧୧ଟା ୨୫ ମିନିଟରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିବା ସହିତ ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ପୂର୍ବରୁ ଗଣେଶ ପୂଜା ସମୟରେ ମଧ୍ଯ ନବୀନ ମଣ୍ଡପ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ।