ଲକ୍ଷ୍ନୌରେ ରାଜନୀତି ତାତି, ସାଙ୍ଗରେ ନେଲେ ପ୍ରତିମୁର୍ତ୍ତି,ରାସ୍ତାରେ ଦେଲେ ଶ୍ରଦ୍ଧାଞ୍ଜଳୀ

1 min read

ନନ୍ଦିଘୋଷ ବ୍ୟୁରୋ: ବିଶିଷ୍ଟ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଉତ୍ତରପ୍ରଦେଶରେ ରାଜନୈତିକ ପାରା ବଢିଛି । ଲକ୍ଷ୍ନୌରେ ଥିବା ଜେପି ସେଣ୍ଟରରେ ଜୟପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଅଖିଳେଶ ଯାଦବ ଜିଦ ଧରିବା ପରେ ମୁହାଁମୁହିଁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବିଜେପି । ଯୋଗୀ ସରକାର ସେଠାକୁ ଯିବା ପାଇଁ ଅଖିଳେଶଙ୍କୁ ରୋକିବା ସହ ବହୁ ସଂଖ୍ଯାରେ ପୋଲିସ ମୁତୟନ କରିଛନ୍ତି । ଏହାସତ୍ତ୍ବେ ଅଖିଳେଶ ଘରୁ ବାହାରି ଘରଠାରୁ କିଛି ଦୂରରେ ଦଳୀୟ କର୍ମୀ ଆଣି ସ୍ଥାପିତ କରିଥିବା ଜୟପ୍ରକାଶଙ୍କ ମୂର୍ତ୍ତିରେ ମାଲ୍ଯାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହାପରେ ଅଖିଲେଶ ସେଠାରେ ଉପସ୍ଥିତ ସପା କର୍ମୀଙ୍କୁ ସମ୍ବୋଧିକ କରି କହିଥିଲେ ଯେ, ଆମେ ଜେପିଙ୍କ ଜନ୍ମବାର୍ଷିକୀ ପାଳନ କରିବୁ, ଆପଣ କେତେଦିନ ପର୍ଯ୍ୟନ୍ତ ଆମକୁ ଅଟକାଇବେ । JPNIC ର ରକ୍ଷଣାବେକ୍ଷଣା ଏବଂ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ପ୍ରସ୍ତୁତ ହେଉଥିବା ସରକାର ୭୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ତଥାପି ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କାହିଁକି ଶେଷ ହେଇନାହିଁ । ଏହାର ଅର୍ଥ JPNIC ରେ କିଛି ଲୁକ୍କାୟତ ଅଛି କି ? ସେମାନେ ଏହାକୁ ବିକ୍ରୟ କରିବାକୁ ଚାହୁଁଛନ୍ତି କି ?

ଯଦି ସରକାର ଆମକୁ JPNICକୁ ନଯିବାକୁ ବ୍ୟବସ୍ଥା କରିଛନ୍ତି ତେବେ ଆମେ ରାସ୍ତାରେ ଜେପିଙ୍କ ଜୟନ୍ତୀ ପାଳନ କରିବାକୁ ମଧ୍ୟ ବ୍ୟବସ୍ଥା କରିଛୁ । JPNIC ର ଅନୁସନ୍ଧାନ ରିପୋର୍ଟ କେବେବି ବାହାରକୁ ଆସିବନି କାରଣ ସେମାନଙ୍କର ଲୋକ ଏଥିରେ ଜଡିତ ଅଛନ୍ତି  ।ଏହା ଏକ ବିନାଶକାରୀ ସରକାର । ଏମାନେ JPNIC କୁ ବିକ୍ରୟ କରିବାକୁ ଚାହୁଁଛନ୍ତି । ଆମେ ପ୍ରତିବର୍ଷ ଜେପି ଜୟନ୍ତୀ ପାଳନ କରିବୁ  । ଏ ସରକାର ମୂକ ଏବଂ ବଧିର ସରକାର । ଏ ସରକାର ସପାକୁ ଜେପି ଜୟନ୍ତୀ ପାଳନ କରିବାକୁ ଅନୁମତି ଦେଉନାହାନ୍ତି  ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଲକ୍ଷ୍ବୌରେ ଜୟପ୍ରକାଶ ନାରାୟଣଙ୍କ ସ୍ମାରକ କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ଏହା ପୂର୍ବରୁ ମୁଲାୟମ ସିଂ ଯାଦବଙ୍କ ସରକାର ଚାଲିଯାଇଥିଲା । ଏହାପରେ ମାୟାବତୀଙ୍କ ସରକାର ଗଠନ ହେଇଥିଲା ଯଦ୍ବାର ଏହି ସ୍ବପ୍ନ ଅଧାରେ ରହିଯାଇଥିଲା । ୨୦୧୨ରେ ଯେତେବେଳେ ଅଖିଲେଶ ଯାଦବଙ୍କ ସରକାର ଆସିଲା ସେତେବେଳେ ଏହି କେନ୍ଦ୍ରର ମୂଳଦୁଆ ପଡିଥିଲା । ଲକ୍ଷ୍ନୌର ଲୋହିଆ ପାର୍କର ,ଏକ ବଡ ଅଂଶରେ ଏହାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ପାର୍କ ଲକ୍ଷ୍ନୌର ଡେଭଲପମେଣ୍ଟ ଅଥୋରିଟିର କାର୍ଯ୍ୟ ଥିବାରୁ ତାକୁ ନିର୍ମାଣର ଦାୟିତ୍ବ ଦିଆଯାଇଥିଲା । ଏହାପରେ ଜେପି ସେଣ୍ଟରକୁ ନେଇ CAG ରିପୋର୍ଟ ପ୍ରକାଶ ପାଇଥିଲା ଯାହା ସମସ୍ତଙ୍କୁ ଆଶର୍ଯ୍ୟ କରିଥିଲା । ରିପୋର୍ଟରେ ଦାବି କରାଯାଇଥିଲା କି ବିନି ଟେଣ୍ଡରେ ଏହି ନିର୍ମାଣ କରାଯାଉଥିବା ବେଳେ ଏଥିରେ ନିୟୋଜିତ କର୍ମୀ ସେଣ୍ଟର ଏସି ସିଷ୍ଟମ ଦେଖିବା ପାଇଁ ଚୀନ ପଳାଇଥିଲେ । ଏହାପରେ ୨୦୧୭ରେ ଯୋଗୀ ସରକାର ଆସିବା ପରେ JPNICନିର୍ମାଣରେ ରୋକ ଲାଗାଯାଇଥିଲା । ମାମଲା ହାଇକୋର୍ଟକୁ ଯାଇଥିଲେ ମଧ୍ୟ ସ୍ଥଗିତାଦେଶ ଏବେବି ଜାରି ଅଛି ।

ଗୁରୁବାର ବିଳମ୍ବିତ ରାତିରେ ଅଖିଳେଶ ଜେପି ସେଣ୍ଟରେ ପହଞ୍ଚିଥିଲେ । ହେଲେ ପୋଲିସ ସେଠାରେ ଟିଣ ଚାଦର ଖଞ୍ଜି ତାଙ୍କୁ ରୋକିବାରୁ ଅଖିଳେଶ ଫେରିଆସିଥିଲେ । ଏହାପରେ ଆଜି ସକାଳେ ସମାଜବାଦୀ ପାର୍ଟି କର୍ମୀମାନେ ଲକ୍ଷ୍ନୌରେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ପୋଲିସ ଅଖିଳେଶଙ୍କୁ ଅଟକାଇବାକୁ ଯାଇ ତାଙ୍କ ଘର ଆଗରେ ବ୍ଯାରିକେଡ ଲଗାଇ ନାକାବନ୍ଦୀ କରିଦେଇଥିଲା । ତଥାପି ଅଖିଳେଶ ଘରୁ ବାହାରି କିଛି ଦୂରରେ କର୍ମୀମାନେ ପ୍ରତିଷ୍ଠା କରିଥିବା ବିଚ ରାସ୍ତାରେ ଜେପିଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇ ଯୋଗୀ ସରକାରଙ୍କ ମନମାନି ବିରୋଧରେ ଗର୍ଜିଥିଲେ ।