ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ବର: ସେ ଦୁର୍ଗତି ନାଶିନୀ, ଶକ୍ତି ସ୍ବରୂପିଣୀ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ଓ ପୀଠରେ ନବମୀ । ପୀଠରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆକର୍ଷିତ କରୁଛି ସୁଉଚ୍ଚ ତୋରଣ, ମନ ମୋହୁଛି ସାଜସଜ୍ଜା । ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ପୀଠରେ ମା’ଙ୍କ ମହାନବମୀ ପୂଜା କରାଯାଉଛି ।

ସବୁଠି ପୂଜାର ଉତ୍ସାହ । ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ମା’ଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।