ମହିଳାଙ୍କ ସହ ବିଜେପି ବିଧାୟକଙ୍କ ଭିଡିଓ ଭାଇରାଲ ପରେ କୁଶ ପୁତ୍ତଳିକା ହାଦ

1 min read

ପୁରୀ: ବିଜେପିର ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ଜଣେ ମହିଳାଙ୍କ ସହ ଏକ ଭିଡିଓ ଭାଇରାଲ ପରେ ଏହାର ପ୍ରଭାବ ତାଙ୍କ ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ବିଜେପି ବିଧାୟକ ଓମପ୍ରକାଶ ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରିଛି ବିଜେଡି ।

ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ବ୍ଲକ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରି ବିଧାୟକଙ୍କ ଏଭଳି ଭାଇରାଲ ଭିଡିଓ ସତ୍ୟବାଦୀ ମାଟିର ସମ୍ମାନ କ୍ଷୁର୍ଣ୍ଣ କରିଛି ବୋଲି ଅଭିଯୋଗ କରିଛନ୍ତି । ବିଜେପି ବିଧାୟକ ଓମ ପ୍ରକାଶ ଜଣେ ଯୁବତୀଙ୍କ ସହ ହୋଟେଲରେ ଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା ।

ବିକାଶ ଓ ମହିଳା ବିକାଶର ନାରା ଦେଇ ବିଜେପି ଦଳ କ୍ଷମତାକୁ ଆସିଛି । କିନ୍ତୁ ବିଧାୟକ ବିକାଶ ଅପେକ୍ଷା ଅୟସରେ ମାତିଛନ୍ତି । ତାଙ୍କ ବିରୋଧରେ ରାଜ୍ୟ ବିଜେପି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପୂର୍ବରୁ ମଧ୍ୟ ଏହି ବିଜେପି ନେତାଙ୍କ ଅନ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା । ସେ ସମୟରେ କିନ୍ତୁ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ବିଧାୟକଙ୍କ ସ୍ପଷ୍ଟିକରଣ ଦାବି କଲା ଆପ୍

ଘଟଣାକୁ ନେଇ ବିଧାୟକଙ୍କ ସ୍ପଷ୍ଟୀକରଣ ଦାବି କରିଛି ଆମ ଆଦମୀ ପାର୍ଟି । ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ଆବାହକ ସଞ୍ଜୀବ ମହାନ୍ତି ସିଧାସଳଖ ଦାବି କରିଛନ୍ତି । ସେ ଯୁବତୀଙ୍କ ସହ ସମ୍ପର୍କ କ’ଣ ତାହା ବିଜେପି ସଭାପତି ଓ ବିଧାୟକ ସାଧାରଣରେ ପ୍ରକାଶ କରନ୍ତୁ । ବିଧାୟକଙ୍କ ସହ ଭିଡିଓରେ ଥିବା ଯୁବତୀ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିରୁ ୨୯ ନମ୍ବର ଜୋନର ପ୍ରାର୍ଥୀ ହୋଇଥିଲେ । ଗତ ସରକାରରେ ବିଜେପି ନାରୀ ନିର୍ଯାତନା କଥା ଉଠାଇ ତମ୍ବି ତୋଫାନ କରୁଥିଲା । କିନ୍ତୁ ତାଙ୍କ ଦଳର ଜଣେ ଯୁବ ଓ ନବାଗତ ବିଧାୟକଙ୍କର ଏଭଳି ଭାଇରାଲ ଭିଡିଓକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଉତ୍ତର ରଖନ୍ତୁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ବିଧାୟକଙ୍କ ଏଭଳି କାର୍ଯ୍ୟ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ତାହା ସ୍ପଷ୍ଟ କରିବାକୁ ଆପ ଦାବି କରିଛି । ଗୋପବନ୍ଧୁଙ୍କ ମାଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣେ ଜନପ୍ରତିନିଧିଙ୍କ ଏଭଳି ଆଚରଣକୁ ସ୍ଥାନୀୟ ଲୋକେ ଗ୍ରହଣ କରିପାରୁନହାନ୍ତି l ଏହି ଭାଇରାଲ ଭିଡିଓ ନେଇ ସତ୍ୟବାଦୀ ବିଧାୟକ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସଂଜୀବ ଦାବି କରିଛନ୍ତି ।