ଦେବାଳିଆ ସ୍ଥିତିକୁ ଆସିଲେଣି କି ରାଜ୍ୟ ସରକାର, ସରକାରୀ କର୍ମଚାରୀଙ୍କୁ ମିଳୁନି ଘରଭଡ଼ା ଆଲାଉନ୍ସ

1 min read

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏ କି ଦଶା ? ସରକାରୀ କର୍ମଚାରୀଙ୍କୁ ମିଳୁନି ଘରଭଡ଼ା ଆଲାଉନ୍ସ-ଏଚଆରଏ । କର୍ମଚାରୀ ମହଲରେ ଅସନ୍ତୋଷ । ବିଶେଷଜ୍ଞଙ୍କ ଅଭିଯୋଗ ରଙ୍ଗ, ନାମ ବଦଳା ଓ ପ୍ରଚାରରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ଅଥଚ କର୍ମଚାରୀଙ୍କ ପ୍ରାପ୍ୟ ଦେବାକୁ ଅର୍ଥ ଅଭାବ । ପୂର୍ବ ସରକାର ଏଚଆରଏ ଭତ୍ତା ସଂଶୋଧନ ପାଇଁ ମାର୍ଚ୍ଚ ମାସରେ ନିର୍ଦ୍ଦେଶନାମା ଜାରି କଲେ । ବିଜେପି କ୍ଷମତାକୁ ଆସିବା ପରେ ଏ ନେଇ ପଦକ୍ଷେପ ନେବ କ’ଣ ମହଙ୍ଗା ବଜାରରେ କର୍ମଚାରୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିବାରେ ବ୍ୟସ୍ତ ।

ବିଜେପି କ୍ଷମତାକୁ ଆସିବାର ୪ ମାସ ଭିତରେ ବିଗିଡ଼ିଲାଣି ଆର୍ଥିକ ସ୍ଥିତି । ଏମିତି ଏକ ପ୍ରକାର ସନ୍ଦେହ ଏବେ ସରକାରୀ କର୍ମଚାରୀଙ୍କ ମନରେ ଛନକା ସୃଷ୍ଟି କରିଛି । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏପରି କିଛି ସାଂଘାତିକ ପ୍ରମାଣ । ଜୁନ୍ ମାସର ଦରମାରେ ଘରଭଡ଼ା ଭତ୍ତା ମିଳିଛି । କିନ୍ତୁ ଜୁଲାଇ ମାସରୁ କର୍ମଚାରୀଙ୍କୁ ମିଳୁନି ଘରଭଡ଼ା ଭତ୍ତା । ଦରମା ସ୍ଲିପରୁ ଗାଏବ ହୋଇଯାଇଛି ଘରଭଡ଼ା ବାବଦ ଆଲାଉନ୍ସ । ଏସସିଏସଟି ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟ ଶିକ୍ଷକ ଓ ଖାଦ୍ୟ ଯୋଗାଣ ବିଭାଗର ଜିଲ୍ଲାସ୍ତରୀୟ କର୍ମଚାରୀଙ୍କୁ ଜୁଲାଇ ମାସରୁ ଘରଭଡ଼ା ବାବଦରେ ଅର୍ଥ ଦିଆଯାଉନି । ଅଭିଯୋଗ ହୋଇଛି ପ୍ରାୟ ୧୮ଟି ଜିଲ୍ଲାରେ କର୍ମଚାରୀ ପାଉନାହାନ୍ତି ଘରଭଡ଼ା ଭତ୍ତା । ୨ ହଜାର ମସିହା ପୂର୍ବରୁ କର୍ମଚାରୀଙ୍କୁ ମାସିକ ବେତନ ଦେବାକୁ ରିଜର୍ଭ ବ୍ୟାଙ୍କରୁ ଓ୍ବେଜ୍ ଆଣ୍ଡ ମିନ୍ସ ବାବଦରେ ଓଭରଡ୍ରାଫ୍ଟ କରିବାକୁ ପଡ଼ୁଥିଲା । ହେଲେ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଡୋରି ହାତକୁ ନେବା ପରେ ରାଜ୍ୟର ଆର୍ଥିକ ସ୍ତରରେ ଉଲ୍ଲେଖନୀୟ ପ୍ରଗତି ଆସିଥିଲା । ୨୦୨୪ ମାର୍ଚ୍ଚ ୧୪ ତାରିଖରେ ପୂର୍ବ ବିଜେଡି ସରକାରରେ କର୍ମଚାରୀଙ୍କ ଘରଭଡ଼ା ଭତ୍ତା ସଂଶୋଧନ ପାଇଁ ଅର୍ଥ ବିଭାଗ ଅଫିସ୍ ମେମୋରାଣ୍ଡମ୍ ଜାରି କରିଥିଲା । ହେଲେ ସଂଶୋଧନ ହେବ କ’ଣ ଓଲଟି ଭତ୍ତା ସମ୍ପୂର୍ଣ୍ଣ ବନ୍ଦ କରିଦେଲେଣି ବର୍ତ୍ତମାନର ଡବଲ ଇଞ୍ଜିନ ସରକାର । ଚାକିରି ଭୟରେ କୌଣସି କର୍ମଚାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲୁ ନାହାନ୍ତି । ବିଶେଷଜ୍ଞଙ୍କ ମତରେ ସରକାରୀ କର୍ମଚାରୀ ଭତ୍ତା ପାଇବା ସାମ୍ବିଧାନିକ ଅଧିକାର । କାହିଁକି ଆଲାଉନ୍ସ ବନ୍ଦ ହୋଇଛି ସରକାର ତାର ସ୍ପଷ୍ଟୀକରଣ ଦେବା ଦରକାର ।

ବିଜେପି ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଅପେକ୍ଷା ପ୍ରଚାର ସର୍ବସ୍ୱ ରାଜନୀତିରେ ମାତିଛନ୍ତି । ଯେଉଁଥି ପାଇଁ କୋଟି କୋଟି ଶ୍ରାଦ୍ଧ କରି ରଙ୍ଗ ବଦଳାଉଛନ୍ତି । ପ୍ରଚାର ପାଇଁ ରାଜ୍ୟ ତହବିଲରୁ ଅଯଥା ବ୍ୟୟ କରାଯାଉଛି, ହେଲେ କର୍ମଚାରୀଙ୍କ ଘର ଭଡା ବାବଦ ଭତ୍ତା ମିଳୁନି । ଏଥିରୁ ଜଣାପଡ଼ୁଛି ଆର୍ଥିକ ପରିଚାଳନା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ପୂର୍ବ ସରକାର ୨୪ ବର୍ଷ ଶାସନ କାଳରେ ମାତ୍ର ୭୪ ହଜାର କୋଟି ଋଣ କରିଥିଲେ । କିନ୍ତୁ ବିଜେପି ସରକାର ଆସୁ ଆସୁ ପ୍ରାୟ ୫୦ ହଜାର କୋଟି ଋଣ କରୁଛନ୍ତି । ଏହା ଦର୍ଶାଉଛି ସରକାର ଆଉ ଭଲ ସ୍ଥିତିରେ ନାହାନ୍ତି । ବଜାର ଦର ଯେପରି ହୁ ହୁ ହୋଇ ବଢୁଛି ସେତେବେଳେ କର୍ମଚାରୀଙ୍କ ଭତ୍ତା ବଢାଇବା ପରିବର୍ତ୍ତେ ସରକାର ଦରମା କାଣ୍ଟ ଛାଣ୍ଟ କରିବା ଘଟଣାକୁ ରାଜନୈତିକ ସମୀକ୍ଷକମାନେ ସମାଲୋଚନା କରିଛନ୍ତି ।

ଖୋଦ ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଦାୟିତ୍ବରେ ଅଛନ୍ତି । କାହିଁକି ସରକାରୀ କର୍ମଚାରୀଙ୍କୁ ଘର ଭଡ଼ା ଭତ୍ତା ମିଳୁନି ? ରାଜ୍ୟର ଆର୍ଥିକ ସ୍ଥିତି ସତରେ କ’ଣ ଖରାପ ଆଡ଼କୁ ଗତି କଲାଣି କି ? ଏ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ଉଠିଛି ।