ରାଜ୍ୟ କଂଗ୍ରେସକୁ କେବେ ମିଳିବ ନୂଆ ମୁଖିଆ ?

ଭୁବନେଶ୍ବର: କେବେ ପୂରଣ ହେବ ରାଜ୍ୟ କଂଗ୍ରେସର ମୁଖିଆ ଚଉକି ? ପିସିସି ପଦ ଖାଲି ପଡ଼ିବାକୁ ୪ ମାସ ବିତିଲାଣି, ହେଲେ ମଙ୍ଗୁଆଳ ବାଛିପାରିନି ଦଳ । ସଭାପତି ରେସରେ ଥିବା ନେତା ଦିଲ୍ଲୀରେ କସରତ ଜାରି ରଖିଥିବା ବେଳେ ଏପଟେ ତୃଣମୂଳ ସ୍ତରରୁ ମୁଖିଆ ଚୟନ ପାଇଁ ମତାମତ ସଂଗ୍ରହ କରିଛି ଏଆଇସିସି । ଅନ୍ୟପକ୍ଷେ ମୁଖିଆ ଚୟନକୁ ନେଇ କଂଗ୍ରେସ ଶିବିରରେ ନୀରବତା ସୃଷ୍ଟି କରୁଛି ଅନେକ ପ୍ରଶ୍ନ ।

ପିସିସି କମିଟି ଭାଙ୍ଗିବାକୁ ୮୦ ଦିନ ବିତିଲାଣି । ରେସରେ ଏକାଧିକ ନେତାଙ୍କ ନାଁ ଉଠିଥିବାବେଳେ ତୃଣମୂଳସ୍ତରୁ ରାଜ୍ୟ ନେତୃତ୍ବ ଯାଏଁ ସଭାପତି ଚୟନ ନେଇ ମତାମତ ନେଉଛନ୍ତି ହାଇକମାଣ୍ଡ । ୨୦୨୪ରେ ଓଡ଼ିଶାରେ କଂଗ୍ରେସର ଦୂର୍ବଳ ପ୍ରଦର୍ଶନ କାରଣ ଓ ନିରାକାରଣ ବାଟ ଖୋଜୁଛି ଦଳ । କାହାକୁ ପିସିସି ସଭାପତି କଲେ କଂଗ୍ରେସ ଲୋକଙ୍କ ବିଶ୍ବାସ ହାତେଇବ ? ତୃତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଆସିବ ଏହା ଉପରେ କଂଗ୍ରେସର ଫୋକସ ରହିଛି । ଏଥିଲାଗି କର୍ମୀ ଓ ନେତାଙ୍କୁ ଏଆଇସିସିର ସ୍ବତନ୍ତ୍ର ଟିମ ଫୋନ କରି ମତାମତ ଲୋଡୁଛନ୍ତି । ଷ୍ଟିୟରିଂ କମିଟି ସଦସ୍ୟ କହୁଛନ୍ତି ମତାମତ ପରେ ଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ, ତାଙ୍କୁ ସମସ୍ତେ ମାନିବେ ଓ କଂଗ୍ରେସ ଆଗକୁ ବଢ଼ିବ ।

ଅନ୍ୟପକ୍ଷେ ସଭାପତି ରେସରେ ନେତାଙ୍କ ତାଲିକା ବଢିବାରେ ଲାଗିଛି । ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ଶରତ ରାଉତ, ଭକ୍ତ ଚରଣ ଦାସ, ସପ୍ତଗିରୀ ଉଲାକା ଓ ବିଶ୍ବ ରଞ୍ଜନ ମହାନ୍ତିଙ୍କ ନାଁ ପିସିସି ସଭାପତି ରେସରେ ରହିଛି । ଏମାନଙ୍କ ମଧ୍ୟରୁ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଶ୍ରୀକାନ୍ତ ଜେନା ଏବଂ ଭକ୍ତ ଚରଣ ଦାସ । ୪ ମାସ ହେବ ପିସିସି ଚେୟାର ଖାଲି ପଡ଼ିଥିବାରୁ କଂଗ୍ରେସ ସଂଗଠନ ଧିମେଇ ଯାଇଛି । ତେଣୁ ତୁରନ୍ତ ପିସିସି ସଭାପତିଙ୍କ ନାଁ ଘୋଷଣା କରିବାକୁ ବହୁ ବରିଷ୍ଠ ନେତା ଏଆଇସିସିକୁ ପ୍ରସ୍ତାବ ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ହାଇକମାଣ୍ଡ ସବୁ ବିଚାର କରିବେ । ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ।

୨୪ ବର୍ଷରେ ୬ ପିସିସି ସଭାପତି ପାଇଛି କଂଗ୍ରେସ । ହେଲେ କଂଗ୍ରେସ ଭୋଟ କମି ୧୩ ପ୍ରତିଶତରେ ପହଞ୍ଚିଛି । ୨୦୨୪ ନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ଚୟନ ବିଳମ୍ବ ହେବା କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳକୁ ଦୁର୍ବଳ କରିଛି । ଏହାରି ଭିତରେ ହାତ ଶିବିରରେ ଗୋଟିଏ ଚର୍ଚ୍ଚା, ଦଳକୁ କେବେ ମିଳିବେ ନୂଆ ମୁଖିଆ ?