ଜନସମ୍ପର୍କ ପଦଯାତ୍ରାରୁ ମିଳିଛି ଭଲ ଫିଡବ୍ଯାକ୍, ଡବଲ ଇଞ୍ଜିନ ସରକାରର ବିଫଳତାକୁ କରାଯିବ ଅସ୍ତ୍ର

ଭୁବନେଶ୍ବର: ସଂଗଠନକୁ ଆହୁରି ମଜଭୁତ କରିବାକୁ ବିଜେଡି ଘନ ଘନ ବୈଠକ । ଆଗାମୀ କାର୍ଯ୍ୟ ଖସଡ଼ାର ରୋଡମ୍ୟାପ୍ ପ୍ରସ୍ତୁତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମର ଫିଡବ୍ୟାକ ନେଉଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଗତକାଲି ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଯେଉଁଥିରେ ପଦଯାତ୍ରା, ସଭ୍ୟ ସଂଗ୍ରହ ଓ ଡବଲ ଇଞ୍ଜିନ ସରକାରର ବିଫଳତା ବିରୋଧରେ ଜନ ସଚେତନତା ପାଇଁ ମିଳିଛି ନବୀନଙ୍କ ଅନୁମୋଦନ । ଅକ୍ଟୋବର ୯ରେ ଆରମ୍ଭ ହେବାକୁ ଥିବା ସଦସ୍ୟ ସଂଗ୍ରହ ଅଭିଯାନ ସମସ୍ତ ସାଂଗଠନିକ ଜିଲ୍ଲାରେ ଭର୍ଚୁଆଲ୍ ମୋଡରେ ହେବ ।

ବିଜେଡି ସମନ୍ବୟ କମିଟି, ଉପଦେଷ୍ଟା କମିଟି, କାର୍ଯ୍ୟକ୍ରମ କାର୍ଯ୍ୟକାରିତା କମିଟି ଓ ସଦସ୍ୟ ସଂଗ୍ରହ କମିଟି ମିଳିତ ଭାବେ ଦଳୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଯାହାକୁ ମିଳିଛି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ । ଉପଦେଷ୍ଟା କମିଟି, କାର୍ଯ୍ୟକ୍ରମ କାର୍ଯ୍ୟକାରିତା କମିଟି ଓ ସଦସ୍ୟ ସଂଗ୍ରହ କମିଟିକୁ ସହଯୋଗ କରିବାକୁ ସମନ୍ବୟ କମିଟିର ଗଠନ କରିଛନ୍ତି ନବୀନ । ଦଳର ବରିଷ୍ଠ ନେତାଙ୍କୁ ନେଇ ଉପଦେଷ୍ଟା କମିଟି ବୈଠକରେ ୩ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ଅନ୍ୟ କମିଟି ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଅବଗତ କରାଯାଇଛି । ଜନସମ୍ପର୍କ ପଦଯାତ୍ରାର ପ୍ରଥମ ପର୍ଯ୍ୟାୟ କିଏ କେଉଁ ନିର୍ବାଚନ ମଣ୍ଡଳୀରେ କରିଛନ୍ତି ଓ ଲୋକଙ୍କ ଫିଡବ୍ୟାକ କ’ଣ ଥିଲା, ତାହା ସମୀକ୍ଷା କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ବଳକା ନିର୍ବାଚନ ମଣ୍ଡଳୀରେ କେମିତି ହେବ ତାକୁ ଗୁରୁତ୍ବ ଦିଆଯାଇଛି । ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଶେଷ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଏହା ଦଳଠାରୁ ଊର୍ଦ୍ଧ୍ବରେ ରହି ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ନିଷ୍ପତ୍ତି । ଗତ ୧୦୦ ଦିନରେ ନୂଆ ସରକାର ବିଫଳ ହୋଇଥିବା ପୁଣି ଦୋହରାଇଛି ବିଜେଡି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ଦରଦାମ ବୃଦ୍ଧି ଓ ମିଛ ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ଫୋରମରେ ସଚେତନ କରିବେ ନବୀନ ବ୍ରିଗେଡ୍ ।

ଏଥର ନୂଆ ଢାଞ୍ଚାରେ ହେବ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ । ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରେ ଦିନ ୧୧ଟାରେ ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ସମୟରେ ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ସାମିଲ ହେବେ ।

ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ଗାଁରୁ ସହର ଯାଏଁ ଲୋକ ସାମିଲ ହୋଇଥିଲେ । ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେବାକୁ ମିଳିଛି । ଯେଉଁ ପରିବର୍ତ୍ତନ କଥା କହି ବିଜେପି ସରକାରକୁ ଭୋଟ ଦେଇଥିଲେ ରାଜ୍ୟବାସୀ, ସରକାରୀ ବିଫଳତା ଯୋଗୁଁ ସରକାରଙ୍କଠାରୁ ଲୋକଙ୍କ ମୋହ ତୁଟିଛି । ବିଜେଡି ଜନସଂପର୍କ ପଦଯାତ୍ରାରୁ ଏହି ଫିଡବ୍ୟାକ୍ ସଂଗ୍ରହ କରି ଦଳୀୟ ସଭାପତିଙ୍କୁ ରିପୋର୍ଟ ଦେଇଛନ୍ତି ।