ବିଜେପି ସରକାର କପି ପେଷ୍ଟରେ ମାଷ୍ଟର: ରୋହିତ

ଭୁବନେଶ୍ବର: ନୂଆ ସରକାର କପି ପେଷ୍ଟରେ ମାଷ୍ଟର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଥିଲେ ଏ ସରକାର ଖାଲି ସେଥିରେ ନୂଆ ରଙ୍ଗ ଲଗାଉଛନ୍ତି । ଏଭଳି କହି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ।

ସେ କହିଛନ୍ତି, ମାଆ ସମଲେଇଙ୍କ ଯେତେ ଭକ୍ତ ଅଛନ୍ତି ସମସ୍ତେ ଜାଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭକ୍ତଙ୍କ ସୁବିଧା ପାଇଁ ସମଲେଶ୍ବରୀଙ୍କ ବିକାଶ କରିଛନ୍ତି । କିନ୍ତୁ ବିଜେପି ସରକାର ସମଲେଇଙ୍କ ପ୍ରକଳ୍ପ ନିକଟରେ ବିଜେପିର ପୋଷ୍ଟର ଲଗାଇଛନ୍ତି । ସେହିପରି ନେଲସନ ମଣ୍ଡେଲା ଛକ ନିକଟରେ ଯେଉଁ ବ୍ରିଜ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ସେଠି ମଧ୍ୟ ବିଜେପି ବ୍ୟାନର ଲଗାଯାଇଛି । ଲୋକଙ୍କୁ ଠକିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ଏହା ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ । ଯଦି ତାଙ୍କର ବିବେକ ଅଛି ଓଡିଶାବାସୀଙ୍କ ପାଇଁ ସମ୍ବଲପୁରବାସୀଙ୍କ ପାଇଁ କିଛି କରିକି ଦେଖାନ୍ତୁ ।

ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ କହିଥିଲେ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ । କିନ୍ତୁ କାହିଁକି ସରକାର କରୁନାହାନ୍ତି ? ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କେବେ ସାମିଲ କରିବେ ବୋଲି ରୋହିତ ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଲୋକଙ୍କୁ ଠକିବା ପାଇଁ ହୀରାକୁଦ ଡ୍ୟାମ ନାଁରେ ୮୫୦ କୋଟି ଘୋଷଣା କରିଛନ୍ତି । ମହାନଦୀ ଉପରମୁଣ୍ଡର ଛତିଶଗଡ଼ରେ ବେଆଇନ ଭାବେ ଅନେକ ବ୍ଯାରେଜ୍ ନିର୍ମାଣ କରିଛନ୍ତି ସେଠାକାର ସରକାର । ଆଗ ଛତିଶଗଡ଼ରେ ହୋଇଥିବା ବ୍ଯାରେଜ୍ କେମିତି ଭାଙ୍ଗିବେ ଚିନ୍ତା କରନ୍ତୁ । ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କରନ୍ତୁ । ବୁର୍ଲା ଭିମସାରକୁ ଆଇଆଇଟି କାଟାଗୋରୀରେ ସାମିଲ କରନ୍ତୁ । ସରକାର ଲୋକଙ୍କୁ ମିଛ କହି ଭ୍ରମିତ କରି ବାହାବା ନେବାକୁ ଚାହୁଁଛନ୍ତି ବୋଲି କହି ବର୍ଷିଛନ୍ତି ରୋହିତ ପୂଜାରୀ ।