ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: ଗର୍ଜିଲା କଂଗ୍ରେସ, ମାରିଲା ଟମାଟୋ

ଭୁବନେଶ୍ବର: ଓଡ଼ିଆ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ପ୍ରଦେଶ ଯୁବ କଂଗ୍ରେସର ରାଜଭବନ ଘେରାଉ । ଜଣେ ଓଡ଼ିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ । ଯାହାକୁ ନେଇ ରାଜ୍ୟପାଳ ଓ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ରାଜଭବନ ନିକଟକୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଯିବା ସହ ଟମାଟୋ ମାଡ଼ କରାଯାଇଛି । ଆଗକୁ ଏହି ପ୍ରତିବାଦ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।

ଓଡ଼ିଶାରେ ଅସୁରକ୍ଷିତ ଓଡ଼ିଆ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିଲେ । ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଲେ । ଘଟଣାକୁ ପୂରିଲାଣି ତିନି ମାସ । ହେଲେ ନା ତଦନ୍ତ ହେଉଛି ନା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଓଡ଼ିଆ ଅସ୍ମିତା ନାଁରେ ବିଜେପିର ପ୍ରହସନ ବିରୋଧରେ କଂଗ୍ରେସର ହଲ୍ଲାବୋଲ । ରାଜଭବନ ଘେରିଲା, ସରକାର ବିରୋଧୀ ନାରା ଦେଇ ଟମାଟୋ ମାଡ଼ କଲା ଯୁବ କଂଗ୍ରେସ ।

ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ରାଜଭବନ ଆଡ଼କୁ ଶୋଭାଯାତ୍ରାରେ ମାଡି ଚାଲିବା ସମୟରେ ପୋଲିସ ସହ ଯୁବ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ହୋଇଛି ଧସ୍ତାଧସ୍ତି । ଏ ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ରାଜ୍ୟପାଳଙ୍କ ସମେତ ମନ୍ତ୍ରୀମାନଙ୍କୁ ସବୁଆଡେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।

କଂଗ୍ରେସର ରାଜଭବନ ଘେରାଉ ପରେ ଏପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି । କଂଗ୍ରେସର ରାଜଭବନ ଘେରାଉକୁ ବିଜେଡ଼ି ସମର୍ଥନ କରିଛି । ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଓଡ଼ିଆଙ୍କୁ ସୁରକ୍ଷା ଦେବାରେ ବିଫଳ । ସାଧାରଣ ଭାବେ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ ବୋଲି କୁହାଯାଇଛି । ସେପଟେ କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଲୋକେ କଂଗ୍ରେସକୁ ଲିଗଲେଣି ବୋଲି କହିଛି ବିଜେପି ।

ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଯେଉଁ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ପ୍ରଚାର କରି ବିଜେପି ଶାସନକୁ ଆସିଛି ସେହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପିକୁ ରାଜ୍ୟବ୍ୟାପୀ ଘେରିବାକୁ ନିଷ୍ପତ୍ତି ନେଇଛି ।