ଭତ୍ତା ଓ ସୁଭଦ୍ରା ପରେ ଧାନ ଏମଏସପିରେ ଠକିବାକୁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା !

ଭୁବନେଶ୍ବର: ଭତ୍ତା ଓ ସୁଭଦ୍ରା ଯୋଜନା ପରି ଧାନର ଏମଏସପିରେ ମଧ୍ୟ ରାଜ୍ୟ ସରକାର ଠକିବା ପାଇଁ ବଡ଼ ଯୋଜନା କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଚାଷୀ ଓ ଚାଷୀ ସଂଗଠନ । ରାଜ୍ୟ ସରକାର ଏମଏସପି ୩୧୦୦ ଟଙ୍କା ଦେବେ ବୋଲି ଘୋଷଣା କରି ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ଚାଷୀଙ୍କଠାରୁ କମ ଧାନ କିଣିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଚାଷୀଙ୍କୁ ଧାନ ବିକିବା ପାଇଁ ଟୋକନ ମିଳୁଥିବା ବେଳେ ଏବେ ଏହି ପରିମାଣ କମାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଭିନ୍ନ ଜନ ସଂଗଠନ ମଧ୍ୟ ସରକାରଙ୍କ ଏଭଳି ଭିତିରିଆ ଠକେଇକୁ ନିନ୍ଦା କରିଛନ୍ତି ।

ସରକାର ରାଜ୍ୟବାସୀଙ୍କୁ ତିନି ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଲେ । କିନ୍ତୁ ଘୋଷଣା ବେଳେ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମିଳିବ ବୋଲି କହିଲେ । ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ମିଳିବ ବୋଲି କହିଲେ । କିନ୍ତୁ ପାଞ୍ଚ ବର୍ଷରେ ୫୦ ହଜାର କିସ୍ତିରେ ଦେବାକୁ ନିଷ୍ପତ୍ତି ନେଲେ । ତାହା ପୁଣି ସମସ୍ତଙ୍କୁ ନୁହେଁ । ରାଜ୍ୟର ବିଜେପି ସରକାରଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଏବେ ଆଉ ଏକ ପ୍ରସଙ୍ଗ ଏହି ନିଆଁରେ ଘିଅ ଢାଳିବା ଭଳି ହୋଇଛି । କୃଷକଙ୍କୁ ଧାନର ଏମଏସପି ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବେ ବୋଲି କହିଲେ । ଯାହା କି ରବି ଋତୁରେ ଦିଆଗଲା ନାହିଁ । ଆଗକୁ ଏହା ଦିଆଯିବ ବୋଲି କୁହାଯାଉଥିଲେ ମଧ୍ୟ ଏଥିରେ ଏକ ବଡ଼ ଷଡଯନ୍ତ୍ର ରଚା ଯାଇଥିବାର ଅଭିଯୋଗ ଆଣିଛନ୍ତି ଚାଷୀ ଓ ଚାଷୀ ସଂଗଠନ । ଏମଏସପି ୩୧୦୦ ଟଙ୍କା ଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ଚାଷୀଙ୍କ ଠାରୁ ପୂର୍ବଭଳି ସବୁ ଧାନ ନ ନେଇ ଅଳ୍ପ କିଛି ଧାନ ନେବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି । ସେଥିପାଇଁ ଚାଷୀଙ୍କ ଉତ୍ପାଦନର ଅତି କମ ପ୍ରତିଶତ ଧାନ ନେବାକୁ ଟୋକନ ଦିଆଯାଉଛି । ତେଣୁ ଏଭଳି ହେଲେ ଚାଷୀର ଅବଶିଷ୍ଟ ଧାନ ଶାଗମାଛ ମୂଲ୍ୟରେ ଦଲାଲଙ୍କୁ ବିକିବାକୁ ପଡିବ ବୋଲି କୁହାଯାଇଛି । ତୁରନ୍ତ ଏଭଳି ନିଷ୍ପତ୍ତିରୁ ସରକାର ଓହରିବାକୁ ଦାବି ହୋଇଛି ।

ବିଜେପି ପକ୍ଷରୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ସରକାରକୁ ଆସିବା ପରେ ଯୋଜନାର କାର୍ଯ୍ୟକାରିତା ମଧ୍ୟରେ ଆକାଶ ପାତାଳ ଫରକ ରହୁଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ନୂଆ ସରକାରଙ୍କ ପ୍ରତିଶ୍ରୁତି ଓ ଘୋଷଣାକୁ ନେଇ ଲୋକେ କେତେ ଆଶା ନେଇ ଅପେକ୍ଷା କରିଥିବାବେଳେ ଏବେ ସେସବୁ ନିରାଶାରେ ପରିଣତ ହୋଇଛି । କିନ୍ତୁ ସରକାରଙ୍କ ଚାଲାଖି ସବୁ ସାଧାରଣ ଲୋକେ ବୁଝୁଥିବାବେଳେ ଆଗକୁ ଏହାର ଜବାବ ଦେବେ ବୋଲି କୁହାଯାଇଛି ।

ଚାଷୀଙ୍କ ଧାନ ଉତ୍ପାଦନ ଅନୁଯାୟୀ ପୂର୍ବ ତୁଳନାରେ ମାତ୍ର ୩୦ରୁ ୪୦ ପ୍ରତିଶତ ଧାନ ଏମଏସପି ମୂଲ୍ୟରେ ନେବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି । ଅର୍ଥାତ ବଳକା ଧାନ ଚାଷୀ ଶାଗ ମାଛ ମୂଲ୍ୟରେ କଳାବଜାରୀରେ ବିକିବାକୁ ବାଧ୍ୟ ହେବ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।