ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ : ଉଦ୍ଧାର ହେଲାଣି ୩୧ ମୃତଦେହ

1 min read

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନରେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଛି ୩୧ ମୃତଦେହ। ନାରାୟଣପୁର-ଦାନ୍ତୱାଡା ସୀମାନ୍ତର ମାଦ୍ ଇଲାକାରେ ଡିଆରଜି ଦାନ୍ତେୱାଡା ଓ ଏସଟିଏଫ ନାରାୟଣପୁରର ହୋଇଥିବା ମିଳିତ ଅପରେସନ ପରେ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଏହି ଅପରେସନ ବେଳେ ଜଣେ ଡିଆରଜି ଯବାନ ଆହତ ହୋଇଥିଲେ। ଆଡ୍ଡାସ୍ଥଳୀରୁ ଏଲଏମଜି ରାଇଫଲ, ଏକେ ୪୭, ଏସଏଲଆର ରାଇଫଲ, ଇନସାସ ରାଇଫଲ, କାଲିବର, ୩୦୩ ରାଇଫଲ ଓ ଅନ୍ଯାନ୍ଯ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି କହିଛନ୍ତ ବସ୍ତର ଆଇଜି ପି. ସୁନ୍ଦରରାଜ। ଗତକାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିଲେ। ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲାର ସୀମାନ୍ତରେ ହୋଇଥିଲା ଏହି ଏନକାଉଣ୍ଟର।

ମାଓ ବାଦୀମାନେ କ୍ୟାମ୍ପ କରିଥିବାର ଗୁଇନ୍ଦା ସୂଚନା ପରେ ଗୁରୁବାରରୁ  ଅପରେସନ ଆରମ୍ଭ ହୋଇଥିଲା। ଛୋଟ ଛୋଟ ଟିମରେ ବିଭକ୍ତ ହୋଇ ଆଖପାଖ ଗାଁରେ ପହଞ୍ଚିଥିଲେ ଡିଷ୍ଟ୍ରିକ ରିଜର୍ଭ ଗାର୍ଡ- DRG ଓ ସ୍ପେସାଲ ଟାସ୍କ ଫୋର୍ସର ମିଳିତ ଟିମ। ଗୁରୁବାରରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଗତକାଲି ଦିନ ସାଢ଼େ ବାରଟାରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀ ଓ ନକ୍ସଲ। ଲାଲବାହିନୀ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ସେଠାରୁ ଫେରାର ଥିବା ନକ୍ସଲକୁ ଧରିବାକୁ କମ୍ଵିଂ ଜାରି ରହିଛି। ଚଳିତ ବର୍ଷ କେବଳ ବସ୍ତର ଅଞ୍ଚଳରେ ୧୬୦ରୁ ଅଧିକ ମାଓବାଦୀ ନିହତ ହେଲେଣି।