୫ ବର୍ଷ ପରେ ପଦାକୁ ବାହାରିଲେ ଇରାନ ସୁପ୍ରିମ ଲିଡର ଖୋମେଇନି, ମୁସଲିମ ଏକତା ପାଇଁ ଦେଲେ ଆହ୍ବାନ

ନୂଆଦିଲ୍ଲୀ: ମଧ୍ଯପ୍ରାଚ୍ଯ ଅସ୍ଥିରତା ମଧ୍ଯରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେଇନିଙ୍କୁ ଗର୍ଜନ । ମୁସଲିମ ଏକତା ଲାଗି ମୁସଲିମ ରାଷ୍ଟ୍ରଙ୍କୁ ଦେଇଛନ୍ତି ଆହ୍ବାନ । ଇସ୍ରାଏଲର ଟପ୍ ଟାର୍ଗେଟରେ ଥିବା ଖୋମେଇନି ପ୍ରଥମ ଥର ଲାଗି ୫ ବର୍ଷରେ ଦେଇଛନ୍ତି ଉଦବୋଧନ । ହିଜବୁଲ୍ଲା ମୁଖ୍ଯ ହସନ ନସରଲ୍ଲାଙ୍କ ମରଶରୀରକୁ ଏକ ଗୋପନ ସ୍ଥାନରେ ସମାଧି ଦିଆଯାଇଛି । ଦକ୍ଷିଣାଞ୍ଚଳ ଲେବାନନ ଛାଡି ଚାଲିଯିବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଆଇଡିଏଫ ।

ଇରାନର ଶତ୍ରୁଙ୍କୁ କରାଯିବ ପରାସ୍ତ । ମଧ୍ଯପ୍ରାଚ୍ଯର ଅଶାନ୍ତ ପରିବେଶ ମଧ୍ଯରେ ଦେଶବାସୀଙ୍କୁ ଏପରି ଉଦବୋଧନ ଦେଇଛନ୍ତି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେନେଇ । ମୁସଲିମ ଏକତା ଲାଗି ମୁସଲିମ ରାଷ୍ଟ୍ରଙ୍କୁ ଦେଇଛନ୍ତି ଆହ୍ବାନ । ଶୁକ୍ରବାର ଅଭିଭାଷଣରେ ସେ ଲେବାନନ ଓ ପାଲେଷ୍ଟାଇନବାସୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ତେହରାନର ଅଲ ଅକସା ମସଜିଦରୁ ହଜାର ହଜାର ଲୋକଙ୍କୁ ଏହି ଆହ୍ବାନ ଦେଇଛନ୍ତି ଖୋମେଇନି । ଏହାସହ ଇସ୍ରାଏଲ ଉପରେ ଇରାନ କରିଥିବା ହମଲାକୁ ଯଥାର୍ଥ ଦର୍ଶାଇଛନ୍ତି ।

ସେ କହିଛନ୍ତି, ହମାସ ଓ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ । ଇସ୍ରାଏଲର ଟପ୍ ଟାର୍ଗେଟରେ ଥିବା ଖୋମେଇନି ପ୍ରଥମ ଥର ଲାଗି ୫ ବର୍ଷରେ ଏହି ଉଦବୋଧନ ଦେଇଛନ୍ତି । ନିଜ ଅଭିଭାଷଣରେ ନିହତ ହିଜବୁଲ୍ଲା ନେତା ହସନ ନସରଲ୍ଲାଙ୍କୁ ସେ ପ୍ରଶଂସା କରିଛନ୍ତି । ନସରଲ୍ଲାଙ୍କ ଅନୁପ୍ରେରଣା ଅନୁସାରେ ସମସ୍ତେ କାର୍ଯ୍ୟ କରିବେ ବୋଲି ସେ ଆହ୍ବାନ ଦେଇଛନ୍ତି । ଏହାସହ ହିଜବୁଲ୍ଲା ସଂଗଠନ ଏକ ପବିତ୍ର ସଂଗଠନ ବୋଲି ସେ କହିଛନ୍ତି । ଲେବାନନର ଜିହାଦରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଯଥାର୍ଥ କହିଛନ୍ତି ସୁପ୍ରିମ ଲିଡର । ଇହୁଦିମାନେ ମୂଳପୋଛ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

ସେପଟେ ଲେବାନନ ଉପରେ ଇସ୍ରାଏଲ ଜାରି ରଖିଛି ଏୟାରଷ୍ଟ୍ରାଇକ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩୭ ଜଣ । ଆହତ ହୋଇଛନ୍ତି ୧୫୦ । ଦାହିୟେ ସ୍ଥିତ ହିଜବୁଲ୍ଲା ମୁଖ୍ୟାଳୟରେ ଗତ ସେପ୍ଟେମ୍ବର ୨୭ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ହିଜବୁଲ୍ଲା ନେତା ହସନ ନସରଲ୍ଲା । ହିଜବୁଲ୍ଲା ମୁଖ୍ଯ ହସନ ନସରଲ୍ଲାଙ୍କ ମରଶରୀରକୁ ଏକ ଗୋପନ ସ୍ଥାନରେ ସମାଧି ଦିଆଯାଇଛି । ଅନୁକୂଳ ପରିବେଶ ଉପୁଜିଲେ ତାଙ୍କର ପ୍ରକୃତ ଶେଷକୃତ୍ଯ ହେବ ।

ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ମଧ୍ଯପ୍ରାଚ୍ଯରେ ସେପରି କୌଣସି ପୂର୍ଣ୍ଣକାଳୀନ ଯୁଦ୍ଧ ହେବ ନାହିଁ । ଅନ୍ଯପଟେ ଇରାନ ଉପରେ ପ୍ରତିଶୋଧ ନେବା ଲାଗି ଇସ୍ରାଏଲ ଯୋଜନା କରୁଥିବା ସୂଚନା ମିଳିଛି । ଦକ୍ଷିଣାଞ୍ଚଳ ଲେବାନନ ଛାଡି ଚାଲିଯିବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସାମରିକ ବାହିନୀ । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ଲୋକ ଭିଟାମାଟି ଛାଡିଥିବା କୁହାଯାଇଛି ।

ସେପଟେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଛନ୍ତି ହିଜବୁଲ୍ଲାର ନୂଆ ଚିଫ୍ ହୋଶେମ ସଫିଦ୍ଦିନ । କିଛି ଦିନ ତଳେ ହିଜବୁଲ୍ଲା ନେତା ହସନ ନସରଲ୍ଲାର ମୃତ୍ଯୁ ପରେ ସେ ନେଇଥିଲା ଦାୟିତ୍ଵ । ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଆମେରିକା ।