ତେଲକୁ କାଳ ଇରାନ-ଇସ୍ରାଏଲ ଯୁଦ୍ଧ: ପୁଣି ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

1 min read

ଭୁବନେଶ୍ବର: ଇରାନ୍-ଇସ୍ରାଏଲ ଯୁଦ୍ଧ ସ୍ଥିତି ଯୋଗୁଁ ତୈଳ ଯୋଗାଣ ଠପ୍ । ପେଟ୍ରୋଲ-ଡିଜେଲ ଦର ପୁଣି ବଢିବା ଆଶଙ୍କା । ସ୍ଥିତି ଏମିତି ହେଲାଣି ଅଶୋଧିତ ତୈଳ ଦର ବ୍ୟାରେଲ ୭୮ ଆମେରିକୀୟ ଡଲାର ପାର କଲାଣି । ଶୀଘ୍ର ୧୦୦ ଡଲାର ପହଞ୍ଚିଲେ ସିଧା ସିଧା ଗ୍ରାହକଙ୍କ ଉପରେ ପଡ଼ିବ ଚଡକ । ସେପଟେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଯୋଗୁଁ ଷ୍ଟକ୍ ମାର୍କେଟ୍ ବି ଆଣ୍ଠେଇଲାଣି । ଗତକାଲି ଗୋଟିଏ ଦିନରେ ନିବେଶକ ହରାଇଥିଲେ ୧୦ ଲକ୍ଷ କୋଟି । ଆଜି କିଛି ସମୟ ପାଇଁ ମାର୍କେଟରେ ସୁଧାର ଆସିଥିଲେ ବି ପୁଣି ୬୫୦ ପଏଣ୍ଟ୍ ଖସିଛି ।

ବଜାରରେ ଏବେ ମହଙ୍ଗା ମାଡ଼ । ଆଗକୁ ଆହୁରି କଲବଲ ହେବେ ଖାଉଟି । ପାର୍ବଣ ଋତୁକୁ ଫିକା କରି ଦେବ ମଧ୍ୟପ୍ରାଚ୍ୟ ସ୍ଥିତି । ପୁଣି ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର । ଇସ୍ରାଏଲ-ଇରାନ୍ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ୭୮ ଡଲାରରୁ ଅଧିକ ହେଲାଣି । ଦୁଇଦିନରେ ବଢିଲାଣି ୧୧ ଡଲାର୍ । ଇସ୍ରାଏଲ ଇରାନର ତୈଳ ଭଣ୍ଡାର ଓ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏଭଳି ହେଲେ ପୂରା ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଦେଖିବାକୁ ମିଳିବ । ଭାରତ ଇରାନ୍ ସମେତ ମଧ୍ୟପ୍ରାଚ୍ୟରୁ ମୋଟ ୮୫ ପ୍ରତିଶତ ତୈଳ ଆମଦାନୀ କରୁଛି । ଯେତେବେଳେ ବ୍ୟାରେଲ୍ ପିଛା ୬୮ ଆମେରିକୀୟ ଡଲାର ଥିଲା । ସେତେବେଳୁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ମାସିକ ଲକ୍ଷାଧିକ କୋଟି ଲାଭ କରିଆସୁଛନ୍ତି । ଲାଭ ପରିମାଣ ଏତେ ହୋଇ ବି ଖାଉଟିଙ୍କ ପାଇଁ ଟଙ୍କାଟିଏ ପେଟ୍ରୋଲ ଓ ଡିଜେଲ ଦର କମାଇଲେନି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢିଲେ କିଛି ମାସ ପାଇଁ ପେଟ୍ରୋଲ ଲିଟର ୧୦୧.୩୭ ପଇସା ଓ ଡିଜେଲ ଲିଟର ୯୨ ଟଙ୍କା ୮୬ ପଇସାରେ ମିଳିବ । କିନ୍ତୁ ଯଦି ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କଲା ତା’ହେଲେ ଭାରତ ସରକାର ସଙ୍ଗେ ସଙ୍ଗେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବେ ହିଁ କରିବେ । ଆଉ କେନ୍ଦ୍ର ସରକାରଙ୍କୁ ଦରବୃଦ୍ଧିର ସଫେଇ ଦେବାକୁ ମଧ୍ୟପ୍ରାଚ୍ୟ ବାହାନା ମିଳିଯିବ । ମହଙ୍ଗା ମାଡ଼ରେ ଖାଉଟି କେବେଠୁ ଡରି ଡରି ବଞ୍ଚିଛି । ଦର ବଢିଲେ ନେତା ଓ ମନ୍ତ୍ରୀଙ୍କୁ ତ ବାଧିବନି । ମଧ୍ୟବିତ୍ତ ଓ ଗରିବ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ହେଲା ଭଳି ସ୍ଥିତି ହେବ ।

ମଧ୍ୟପ୍ରାଚ୍ୟ ସ୍ଥିତି ଏବେ ଦିନକୁ ଦିନ ସଙ୍ଗୀନ ହେବାକୁ ଯାଉଛି । ଗତକାଲି ଭାରତୀୟ ଷ୍ଟକ୍ ମାର୍କେଟରେ ଏହାର ସିଧା ସିଧା ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ସେନ୍ସେକ୍ ୧୭୬୯ ପଏଣ୍ଟ ହ୍ରାସ ପାଇବାରୁ ନିବେଶକ ୧୦ ଲକ୍ଷ କୋଟି ହରାଇଥିଲେ । ଆଜି ମଧ୍ୟ କାରବାର ଆରମ୍ଭ ବେଳକୁ ୨୫୦ ପଏଣ୍ଟ ଖସିଥିଲା । ପରେ ୮୦୮ ପଏଣ୍ଟ୍ ତଳକୁ ଖସି ୮୧ ହଜାର ୬୮୮ ପଏଣ୍ଟ୍ରେ ବିଏସ୍ଇ ସେନସେକ୍ସ ବନ୍ଦ ହୋଇଛି । ଦୁଇଦିନରେ ବିଦେଶୀ ନିବେଶକ ୨୫ ହଜାର କୋଟିରୁ ଅଧିକ ଟଙ୍କା ଭାରତୀୟ ବଜାରରୁ କାଢ଼ି ନେଇଛନ୍ତି । ଏବେ ଭାରତୀୟ ପୁଞ୍ଜି ବଜାର ଅପେକ୍ଷା ସେମାନେ ଚୀନ ବଜାର ମୁହାଁ ହେଲେଣି ।  ସେପଟେ ବିଶେଷଜ୍ଞଙ୍କ ମତ ଏଭଳି ସ୍ଥିତି ଗୋଟିଏ ପ୍ରକାର ବଜାର ସଂଶୋଧନ କରିବ । ବଜାର ଖସିଲେ ଅଧିକ ପ୍ରିମିୟମରେ ବିକ୍ରି ହେଉଥିବା କମ୍ପାନୀର ଅଂଶଧନ ଦର କମିବ । ଛୋଟ ପୁଞ୍ଜି ନିବେଶକ ଏସବୁ ସେୟାର କିଣିବାକୁ ସକ୍ଷମ ହେବେ । ତେବେ ଆଗକୁ ଯଦି ଯୁଦ୍ଧ ସ୍ଥିତି ବେଶୀ ଦିନ ପର୍ଯ୍ୟନ୍ତ ଲାଗି ରହେ ତା’ହେଲେ ଷ୍ଟକ୍ ବଜାର ୨୦୨୦-୨୧ର ସ୍ଥିତିକୁ ଚାଲିଆସିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଋଷ-ୟୁକ୍ରେନ୍ ଯୁଦ୍ଧ ବେଳେ ଖାଦ୍ୟଶସ୍ୟ ଯୋଗାଣରେ କିଛିଟା ବାଧା ଉପୁଜିଥିଲା । କିନ୍ତୁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସିଧା ସିଧା ତୈଳ ଆମଦାନୀ ଉପରେ ପଡ଼ୁଛି । ଯାହାର ପ୍ରଭାବ ସବୁ ଜିନିଷ ଉପରେ ପଡ଼ିବ ।