୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍

1 min read

ବଲାଙ୍ଗୀର:  ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ଜଣେ  ଲାଞ୍ଚୁଆ ଯନ୍ତ୍ରୀ । ଏମଜିଏନଆରଜିଏରେ ହୋଇଥିବା କାମର ବିଲ୍ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ଟଙ୍କା ଉଦ୍ଧାର ସହ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକରେ ଏମଜିଏନଆରଜିଏରେ ହୋଇଥିବା କାମର ବିଲ୍ ପାଇଁ ହିତାଧିକାରୀମାନେ ବାରମ୍ବାର ଅନୁରୋଧ କରୁଥିଲେ । ବିଲ ପାଇଁ କନିଷ୍ଠ ଯନ୍ତ୍ରୀ ୧୫ ହଜାର ଟଙ୍କା ଦାବି କରିଥିଲେ । ଲାଞ୍ଚ ନଦେଲେ ବିଲ କରିବି ନାହିଁ ବୋଲି ଧମକ ଦେଇଥିଲେ I ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ।

ବେଲପଡା ବ୍ଳକ ଅନ୍ତର୍ଗତ କନ୍ଧେନଝୁଲା ଗାଁର ମୀନକେତନ ଚହଁର ମନରେଗା ଯୋଜନାରେ ଏକ କୂଅ ଖୋଲିଥିଲେ I ଏହାର ଟଙ୍କା ପାଇବା ପାଇଁ ବାରମ୍ବାର ବ୍ଳକକୁ ଆସୁଥିଲେ ମଧ୍ୟ ବିଲ୍ ହୋଇପାରୁ ନଥିଲା I ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ବିଲ୍ କରିବା ପାଇଁ ତାଙ୍କୁ ଲାଞ୍ଚ ମାଗିଥିଲେ I ମୀନକେତନ ବହୁ ନେହୁରା ହେବା ପରେ ମଧ୍ଯ ବିଲ କରୁ ନଥିଲେ I ଭିଜିଲାନ୍ସର ଟୋଲ ଫ୍ରୀ ନମ୍ବରକୁ କଲ କରି ଅଭିଯୋଗ କରିଥିଲେ ମୀନକେତନ I

ଭିଜିଲାନ୍ସର ଯୋଜନା ମୁତାବକ ହରେକୃଷ୍ଣ ଲାଞ୍ଚ ଟଙ୍କା ନେବା ବେଳେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ଟିମ ହରେକୃଷ୍ଣକୁ ଟ୍ରାପ କରିଥିଲା I ହରେକୃଷ୍ଣକୁ ଟ୍ରାପ ହେବା ପରେ ବରଗଡ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରା ଉଚରା ଚଳାଇଛି ଭିଜିଲାନ୍ସ I ଏନେଇ ହରେକୃଷ୍ଣଙ୍କ ପୈତୃକ ଘର, ନିଜ ବାସଭବନ ଓ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରି ଛାନଭିନ୍ ଚଳାଇଛି I