ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଗୋବିନ୍ଦା, ହାତଯୋଡି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ୱାଇ: ଅଭିନେତା ତଥା ଶିବସେନା ନେତା ଗୋବିନ୍ଦାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବା ଯୋଗୁଁ  ତାଙ୍କୁ ମୁମ୍ୱାଇ ସିଟି କେୟାର ଏସିଆ ହସ୍ପିଟାଲରେ ଅକ୍ଟୋବର ୧ ରେ ଆଡମିଟ୍ କରାଯାଇଥିଲା। ଡାକ୍ତରଖାନାରୁ ଶୁକ୍ରବାର ଡିସଚାର୍ଜ ହୋଇଛନ୍ତି ଗୋବିନ୍ଦା । ଡାକ୍ତରଖାନାରୁ ବାହାରି ପରେ ସେ ପ୍ରଥମେ ପ୍ରଶଂସକ ଏବଂ ଗଣମାଧ୍ୟମକୁ ହାତଯୋଡି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଯେଉଁମାନେ ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, ସେମାନଙ୍କ ପାଖେ ମୁଁ ଚିର ଋଣି । କେବଳ ସେତିକି ନୁହେଁ ସିଏମ୍ ସିନ୍ଦେ, ପୋଲିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଗୋବିନ୍ଦା ।

ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ତାଙ୍କ ନିକଟରେ ପତ୍ନୀ ସୁନିତା ଏବଂ ଝିଅ ଟିନାଙ୍କୁ ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ଗୋଡରେ ପ୍ଲାଷ୍ଟର ଥିବା ବେଳେ ତାଙ୍କୁ ହ୍ୱିଲଚେୟାରରେ ଅଣାଯାଉଥିବା ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ପତ୍ନୀ କହିଛନ୍ତି ।