ତିରୁପତି ଲଡୁ ବିବାଦ, ସିବିଆଇ ନେତୃତ୍ବାଧୀନ SIT କୁ ତଦନ୍ତ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ସିବିଆଇ ନେତୃତ୍ବାଧୀନ ଏସଆଇଟି ଜରିଆରେ ମାମଲାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହି ଏସଆଇଟିରେ ଦୁଇଟି ରାଜ୍ଯର ପୋଲିସ ଅଧିକାରୀ ଓ ଭାରତର ଖାଦ୍ଯ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା ଏଫଏସଏସଏଆଇର ଜଣେ ପ୍ରତିନିଧି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଏହି କମିଟିର କାର୍ଯ୍ୟଧାରାର ନେତୃତ୍ବ ନେବେ ସିବିଆଇ ନିର୍ଦ୍ଦେଶକ। ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ନେତୃତାଧୀନ ଖଣ୍ଡପୀଠ। ତେବେ ସୁପ୍ରିମକୋର୍ଟ ବିଭିନ୍ନ ଅଭିଯୋଗ, ଆରୋପ, ପ୍ରତ୍ଯାରୋପ ଆଦି ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି। ଦୁଇ ମାସ ପରେ ରିପୋର୍ଟକୁ କାହିଁକି ପ୍ରକାଶ କରାଗଲା ଦର୍ଶାଇ ଗତ ୩୦ ତାରିଖରେ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରିଥିଲେ ଅଦାଲତ।

ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ । ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ଦୁଇ ଆବେଦନାକାରୀ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଥିଲେ- ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ । ସେହିପରି ସୁବା ରେଡ୍ଡୀ ଦାବି କରିଥିଲେ- ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ।